ଦିଲ୍ଲୀ ଅବକାରୀ ନୀତି ଘୋଟାଲା: ୩୦ଟି ଜାଗାରେ ଇଡିର ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ତଥା କଥିତ ଅବକାରୀ ନୀତି ଦୁର୍ନିତି ମାମଲାରେ ଇଡି ଅର୍ଥ ହେରଫେର ମାମଲା ରୁଜୁ କରିଛି। ଏ ନେଇ ଦିଲ୍ଲୀ ସମେତ ପ୍ରାୟ ୩୦ ଟି ସ୍ଥାନରେ ଇଡି ଚଢାଉ କରିଛି। ତେବେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଚଢ଼ାଉ କରାଯାଇ ନାହିଁ। ଇଡି ସୂତ୍ରରୁ ପ୍ରକାଶ ଯେ ରାଜଧାନୀ ଦିଲ୍ଲୀ ବ୍ୟତୀତ ୟୁପି ରାଜଧାନୀ ଲକ୍ଷ୍ନୌ, ହରିଆଣାର ଗୁରୁଗ୍ରାମ, ଚଣ୍ଡିଗଡ଼, ମୁମ୍ବାଇ, ହାଇଦ୍ରାବାଦ ଏବଂ ବାଙ୍ଗାଲୋର ସମେତ ୩୦ ଟି ସ୍ଥାନରେ ଇଡି ଚଢ଼ାଉ ଜାରି ରଖିଛି।

ଅଗଷ୍ଟ ୧୯ ରେ ଏକ୍ସାଇଜ୍ ପଲିସି ବା ଅବକାରୀ ନୀତିରେ ହୋଇଥିବା ଦୁର୍ନିତି ମାମଲାରେ ସିବିଆଇ ମନୀଷ ସିସୋଦିଆଙ୍କ ଘରେ ଚଢାଉ କରିଥିଲା। ଏହି ରେଡ୍ ପରେ ଇଡି ସିସୋଦିଆଙ୍କ ମାମଲାର ଫାଇଲ ସିବିଆଇଠୁ ନେଇଥିଲା। ସେବେଠାରୁ କଳ୍ପନାଜଳ୍ପନା ଚାଲିଥିଲା ଯେ ଖୁବଶୀଘ୍ର ଇଡି ମଧ୍ୟ ଏହି ମାମଲାରେ ତଦନ୍ତ କରିବ।

ଜାତୀୟ ଟିଭି ଚ୍ୟାନେଲର ରିପୋର୍ଟ ଅନୁସାରେ ଇଡି ଟିମ୍ ଦିଲ୍ଲୀ ବାହାରେ ଥିବା ଜୋରବାଗରେ ପହଞ୍ଚିଛି। ଇଡି ଏଠାରେ ସମୀର ମହେନ୍ଦ୍ର ନାମକ ବ୍ୟକ୍ତିଙ୍କ ଠିକଣାରେ ଚଢାଉ କରିଛି। ସମୀର ହେଉଛି M/s ଇଣ୍ଡୋ ସ୍ପିରିଟ୍ସର ଏମଡି। ସେ ଏମ/ରାଧା ଇଣ୍ଡଷ୍ଟ୍ରିଜର ରାଜେନ୍ଦ୍ର ପ୍ଲେସରେ ୟୁକୋ ବ୍ୟାଙ୍କର ଆକାଉଣ୍ଟକୁ ୧ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ।

ସୂଚନା ଅନୁଯାୟୀ, ସିବିଆଇ ଏହି ମାମଲାରେ ଯେଉଁସବୁ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ସେହି ବ୍ୟକ୍ତିଙ୍କ ବିରୋଧରେ ଇଡି ରେଡ୍ କରିଛି।

Related Articles

Back to top button