ହେମନ୍ତ ସୋରେନଙ୍କ ଅଡ଼ୁଆ ପୁଣି ବଢିଲା

ରାଞ୍ଚି: ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ପଙ୍କଜ ମିଶ୍ରଙ୍କ ଘରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଚଢାଉ ବେଳେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟାଙ୍କ ପାସବୁକ ଏବଂ ତାଙ୍କ ସ୍ବାକ୍ଷର ଥିବା ଏକ ଚେକ୍‌ ବୁକ୍‌ ମିଳିଛି। ଇଡି ବ୍ୟାଙ୍କ ପାସବୁକ ଏବଂ ଚେକ ବୁକ ଜବତ କରିଛି। ଖଣି ଦୁର୍ନୀତିରେ ଟଙ୍କା ହେରଫେର ଯାଞ୍ଚ କରୁଥିବା ଇଡି ଦାବି କରିଛି ଯେ, ମୁଖ୍ୟ ଅଭିଯୁକ୍ତ ପଙ୍କଜ ମିଶ୍ର ହେମନ୍ତ ସୋରେନଙ୍କ ନିକଟତର। ନିକଟରେ ବେଆଇନ ଖଣି ଓ ଚୋରା ଚାଲାଣ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଙ୍କଜ ମିଶ୍ର, ବଚ୍ଚୁ ଯାଦବ ଏବଂ ପ୍ରେମ ପ୍ରକାଶଙ୍କ ବିରୋଧରେ ଇଡି ପକ୍ଷରୁ କୋର୍ଟରେ ଏକ ଚାର୍ଜସିଟ ଦାଖଲ କରାଯାଇଥିଲା।
ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ବାରହା ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ଆଧାରରେ ମିଶ୍ର ଏବଂ ଅନ୍ୟମାନଙ୍କ ବିରୋଧରେ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଏଜେନ୍ସି ତଦନ୍ତ ଆରମ୍ଭ କରିଥିଲା। ଏପର୍ଯ୍ୟନ୍ତ, ଇଡି ଏହି ମାମଲାରେ ୧୦୦୦ କୋଟିରୁ ଅଧିକ ଟଙ୍କା ବେଆଇନ ଖଣି ସମ୍ପର୍କିତ ପିଓସି ଗୁଡ଼ିକୁ ଚିହ୍ନଟ କରିଛି।
ଗତ ଅଢେଇ ବର୍ଷ ଧରି ପଙ୍କଜ ମିଶ୍ରଙ୍କୁ ଅନେକ ଅଭିଯୋଗ ଓ ବିବାଦ ଘେରି ରହିଥିଲା। ସାହିବଗଞ୍ଜର ବଦରୱାଠାରେ ଏକ ସରକାରୀ ଟେଣ୍ଡର ପରିଚାଳନା ସହ ଜଡିତ ଏକ ବିବାଦରେ,୨୦୨୦ରେ ଶମ୍ଭୁନନ୍ଦ ଭାଗବତ ନାମକ ଜଣେ କଣ୍ଟ୍ରାକ୍ଟରଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ମଧ୍ୟ ମନି ଲଣ୍ଡରିଂ କୋଣ ସାମ୍ନାକୁ ଆସିବା ପରେ ଇଡି ତାଙ୍କ ବିରୋଧରେ ଅନୁସନ୍ଧାନ କରୁଛି।

Related Articles

Back to top button