ବିହାରରେ ବିଶାଳ ସୁନାର ଭଣ୍ଡାର, ମାଟି ତଳେ ହଜାର ହଜାର ଟନ ସୁନା ରହିଥିବା ଅନୁମାନ

ନୂଆଦିଲ୍ଲୀ: ବିହାରର ବାଙ୍କା ଜିଲ୍ଲାରେ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଟିମ ଭୂପୃଷ୍ଠ ତଳୁ ଏକ ବିଶାଳ ସୁନାର ଭଣ୍ଡାର ଖୋଜିବାରେ ଲାଗିଛନ୍ତି । ଏହି ଅଞ୍ଚଳରେ ୬୫୦ ଫୁଟ ପର୍ଯ୍ୟନ୍ତ ମାଟି ଖୋଳାଯିବ । ତେବେ ୫୦-୬୦ ଫୁଟ ପର୍ଯ୍ୟନ୍ତ ଖୋଳିବା ପରେ ଏହି ସମୟରେ ସୁନାପରି ଚମକୁଥିବା ଏକ ଖଣିଜ ପଥର ବାହାରିଛି । ତେଣୁ ମାଟି ତଳେ ହଜାର ହଜାର ଟନର ସୁନାର ଭଣ୍ଡାର ରହିଛି ବୋଲି ଅନେକ ଅନୁମାନ କରୁଛନ୍ତି । ଯଦି ଏହି ଅନୁମାନ ସତ୍ୟ ହୁଏ ତେବେ ବିହାର ସହିତ ଭାରତର ଭାଗ୍ୟ ବଦଳିଯିବ ।

ସୁନା ଖଣିକୁ ନେଇ ଗତ କିଛିଦିନ ଧରି ବାଙ୍କା ଜିଲ୍ଲାର କଟୋରିଆ ଅନ୍ତର୍ଗତ ଖେରୱାର ଗ୍ରାମ ବେଶ୍ ଚର୍ଚ୍ଚାରେ ରହିଛି । ପୂର୍ବରୁ ଏହି ଅଞ୍ଚଳର ମାଟି ତଳୁ ସୁନା ପରି ଚମକୁଥିବା ଖଣିଜ ପଦାର୍ଥ ମିଳିଥିଲା । ଏହି ଖଣିଜ ପଦାର୍ଥ ବାହାରିବା ପରେ ମାଟି ତଳେ ପର୍ଯ୍ୟାପ୍ତ ମାତ୍ରାରେ ସୁନାର ଭଣ୍ଡାର ରହିଥିବା ନେଇ ଅନେକ କହୁଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଅଞ୍ଚଳରେ ବିମାନ ଦ୍ୱାରା ସର୍ଭେ କରାଯାଇଥିଲା । ସେଠାରେ ମାଟି ତଳେ ହଜାର ହଜାର ଟନର ସୁନା ରହିଥିବା ନେଇ ଅନୁମାନ କରାଯାଇଥିଲା । ଏହାପରେ ସେହି ଅଞ୍ଚଳରେ ଗତ ୪-୫ ଦିନ ହେଲା ମାଟି ଖୋଳିବା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏନେଇ ସ୍ଥାନୀୟ ଲୋକେ କହିଛନ୍ତି, ଇଂରେଜ ଶାସନ ଅମଳରେ ମଧ୍ୟ ସେହି ଗ୍ରାମର ମାଟିତଳୁ ସୁନାପରି ଚମକୁଥିବା ଖଣିଜ ପଥର ବାହାରିଥିଲା । ମାତ୍ର ସେ ସମୟରେ ଅତ୍ୟାଧୁନିକ ମେଶିନ ନଥିବାରୁ ଇଂରେଜମାନେ ଅଧିକ ଗଭୀର ପର୍ଯ୍ୟନ୍ତ ମାଟି ଖୋଳି ପାରିନଥିଲେ । ତେଣୁ ଏବେ ଅତ୍ୟାଧୁନିକ ମେଶିନ ରହିଥିବାରୁ ଖୋଳିବାରେ ବିଶେଷ ସମସ୍ୟା ସୃଷ୍ଟି ହୋଇ ନପାରେ । ଖୋଳା କାମ ସରିବା ପରେ ମାଟି ତଳେ ପ୍ରକୃତରେ ସୁନାର ଭଣ୍ଡାର ରହିଛି କି ନା ସେନେଇ ସ୍ପଷ୍ଟ ହୋଇଯିବ ।

Related Articles

Back to top button