ଶ୍ରୀକ୍ଷେତ୍ରରୁ ଆସିଲା ମା’ ବିରଜାଙ୍କ ପାଇଁ ବାରପାଟିଆ ପାଟ

ଯାଜପୁର : ଶ୍ରୀକ୍ଷେତ୍ରରୁ ଆସିଲା ମା’ଙ୍କ ବାରପାଟିଆ ପାଟ। ଦୂର୍ଗାପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ  ମା ବିରଜାଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ। ପରମ୍ପରା ଅନୁଯାୟୀ ମାଙ୍କ ରଥଯାତ୍ରା ସମୟରେ ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ପ୍ରଦତ୍ତ ବସ୍ତ୍ର ମା ବିରଜାଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଥାଏ। ପ୍ରତି ବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହା ବିରଜା ମନ୍ଦିରକୁ ପ୍ରାପ୍ତ ହୋଇଥାଏ ବୋଲି କଥିତ ଅଛି।

ଚଳିତ ବର୍ଷ ଆଜି ଏହି ବାରପାଟିଆ ନାମକ ବସ୍ତ୍ର ଓ ମହାପ୍ରସାଦକୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଉପସ୍ଥିତିରେ ବିରଜା ମନ୍ଦିରର ମୁଖ୍ୟ ସେବାୟତ ଦେବୀ ପ୍ରସାଦ ପାଣି ଓ ଅନ୍ୟାନ୍ୟ ସେବାୟତଙ୍କୁ ପୁରୀରୁ ଯାଇଥିବା ଶ୍ରୀ ସିଦ୍ଧାର୍ଥ ରାୟ ହସ୍ତାନ୍ତର କରିଛନ୍ତି।ମା ବିରଜାଙ୍କ ସହ  ପ୍ରଭୁ ଜଗନ୍ନାଥଙ୍କ ଆଧ୍ୟାତ୍ମିକ ସମ୍ପର୍କ ରହିଛି। ଅନେକ ରୀତିନୀତି  ରେ ସାମଞସ୍ୟ ମଧ୍ୟ ପରିଲକ୍ଷିତ ହୁଏ। ପ୍ରବାଦ ଅଛି ଯେ ଛତିଆ ନିକଟସ୍ଥ ଗଲଗଲି କ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥ ଓ ମା ବିରଜାଙ୍କ ସାକ୍ଷାତ ହୁଏ।

ପ୍ରଭୁ ଜଗନ୍ନାଥ ଶ୍ରୀକ୍ଷେତ୍ରରୁ ଓ ମା ବିରଜା ବିରଜା କ୍ଷେତ୍ରରୁ ଆସି ଗଲଗଲି କ୍ଷେତ୍ରରେ  ପରସ୍ପର କଥା ହୋଇ ଶେଷରେ ଜଣେ ଅପରକୁ ଗଲ ବୋଲି ପଚାରନ୍ତି ଓ ଉତ୍ତର ରେ ଗଲି ବୋଲି ସୂଚନା ପାଆନ୍ତି।ବୋଧହୁଏ ଏହି ଗଲ ଓ ଗଲି ର ବାର୍ତ୍ତାଳାପ କୁ ନେଇ ଗଲଗଲି ସ୍ଥଳର ନାମ କରଣ ହୋଇଛି ବୋଲି ପ୍ରବାଦ ରହିଛି। ଶ୍ରୀ ଜଗନ୍ନାଥଙ୍କ ବସ୍ତ୍ର ପ୍ରାପ୍ତି ପରେ ବିରଜା ମନ୍ଦିରର ସେବାୟତ, ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ଶ୍ରୀମନ୍ଦିର ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

Related Articles

Back to top button