୩୨ ବର୍ଷରେ ସବୁଠୁ ବଡ଼ ବର୍ଷା, ବେଙ୍ଗାଲୁରୁରେ ବନ୍ୟା ପରିସ୍ଥିତି

ବେଙ୍ଗାଲୁରୁ: ଦେଶର ସିଲିକନ ଭ୍ୟାଲି ଆଇଟି ସିଟି ଏବେ ପାଣିରେ ଉବୁଟୁବୁ ହେଉଛି। ପ୍ରବଳ ବର୍ଷା ହେତୁ ଲୋକମାନେ ବହୁ ଅସୁବିଧାର ସାମ୍ନା କରୁଛନ୍ତି। ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି। ଯେଉଁ ରାସ୍ତାରେ କାର, ଗାଡି ଚାଲୁଥିଲା ସେଠି ଏବେ ଡଙ୍ଗା ବୁଲୁଛି। ଅନେକ ବ୍ୟସ୍ତବହୁଳ ରାସ୍ତାରେ ପ୍ରବଳ ସ୍ରୋତରେ ଜଳ ପ୍ରବାହିତ ହେଉଛି।

ବନ୍ୟା ପରେ ପାଣି ସମସ୍ୟା ମଧ୍ୟ ଉପୁଜିଥିଲା। ଲୋକମାନେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅଟକି ରହିଥିବାର ଦେଖାଯାଇଥିଲା। ସହରର ଅନେକ ହ୍ରଦ, ପୋଖରୀ ଏବଂ ଡ୍ରେନରେ ପାଣି ଭର୍ତ୍ତି ହୋଇ ରହିଛି। ସପ୍ତାହରେ ଦ୍ୱିତୀୟ ଥର ପାଇଁ ସହରରେ ଏପରି ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି।

ବେଙ୍ଗାଲୁରୁରେ ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବମ୍ମାଇ ୩୦୦ କୋଟି ଟଙ୍କା ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ସୋମବାର ବନ୍ୟା ପରିସ୍ଥିତି ଏବଂ ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବମ୍ମାଇ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବେଙ୍ଗାଲୁରୁରେ ବନ୍ୟା ଜଳ ନିଷ୍କାସନ ପାଇଁ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଳ ନିଷ୍କାସନ ପାଇଁ ମୋଟ ୧୫୦୦ କୋଟି ଟଙ୍କା ରଖାଯାଇଛି। ବନ୍ୟା ସ୍ଥଳ ଜଳ କମିଯିବା ମାତ୍ରେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ହେବ। ଡଙ୍ଗା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ପାଇଁ ୯.୫୦ କୋଟି ଟଙ୍କା ରିଲିଜ୍ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେପ୍ଟେମ୍ବର ୧ ରୁ ୫ ମଧ୍ୟରେ ବେଙ୍ଗାଲୁରୁର କିଛି ଅଞ୍ଚଳରେ ୧୫୦ ପ୍ରତିଶତ ଅଧିକ ବର୍ଷା ହୋଇଥିଲା। କିଛି ସ୍ଥାନରେ ୩୦୭ ପ୍ରତିଶତରୁ ଅଧିକ ବର୍ଷା ହୋଇଛି। ଗତ ୩୨ ବର୍ଷ ମଧ୍ୟରେ (୧୯୯୨-୯୩) ବେଙ୍ଗାଲୁରୁରେ ଏହି ବର୍ଷା ସର୍ବାଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରବଳ ବର୍ଷା ହେତୁ ୧୬୪ ହ୍ରଦ ଫୁଲି ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଯେ ବନ୍ୟା ପରିସ୍ଥିତି ଯୋଗୁଁ ବାଙ୍ଗାଲୋରର ଆଇଟି କମ୍ପାନୀଗୁଡିକ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ୩୦ ଅଗଷ୍ଟରେ ଆଇଟି କମ୍ପାନୀଗୁଡିକ ୨୨୫ କୋଟି କ୍ଷତି ସହିଥିଲେ। କାରଣ ବନ୍ୟା ଯୋଗୁଁ ତାଙ୍କର ଅନେକ କର୍ମଚାରୀ ପ୍ରାୟ ପାଞ୍ଚ ଘଣ୍ଟା ଧରି ଟ୍ରାଫିକରେ ଅଟକି ରହିଥିଲେ ଏବଂ ଠିକ୍ ସମୟରେ କାର୍ଯ୍ୟାଳୟରେ ପହଞ୍ଚି ପାରିନଥିଲେ।

Related Articles

Back to top button