ବାଲିଯାତ୍ରାକୁ ବିଶ୍ୱସ୍ତରୀୟ ମାନ୍ୟତା ପାଇଁ କଟକ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ

କଟକ:ଐତିହ୍ୟ ବାଲିଯାତ୍ରାକୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ ପାଇଁ କଟକ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ଚଳିତ ବର୍ଷ ନଭେମ୍ବର ୮ରୁ ୧୫ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ହେବାକୁ ଯାଉଥିବାବେଳେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇସାରିଛି। ପ୍ରଶାସନ ପକ୍ଷରୁ ଚଳିତ ଥର ଏକଶହ ଏକର ପଡ଼ିଆରେ ବାଲିଯାତ୍ରା ଆୟୋଜନ ପାଇଁ ସ୍ଥିର ହୋଇଛି। ପୂର୍ବରୁ ଏହା ୩୪ ଏକର ପରିମିତ ଜମିରେ ହେଉଥିଲା। ୩୪ ଏକର ଜମିରୁ ପରିବର୍ଦ୍ଧିତ କରି ଶହେ ଏକର ଜାଗାରେ ଆୟୋଜନ କରାଯିବା ପାଇଁ ଭିିତ୍ତିଭୂମି ସଜାଡ଼ିବା ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ବାଲିଯାତ୍ରା ପଡ଼ିଆ ସମେତ ଯୋବ୍ରାଠାରୁ ଗଡ଼ଗଡ଼ିଆ ଘାଟ ପର୍ଯ୍ୟନ୍ତ ମହାନଦୀ ପଠାକୁ ମାଟି ଓ ମୋରମ ପକାଇ ପୋତାଯାଉଛି।
ତେବେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ଙ୍କ ପକ୍ଷରୁ ଏକ ବିଶେଷଜ୍ଞ କମିଟି ସମ୍ପୃକ୍ତ ସ୍ଥାନ ଅନୁଧ୍ୟାନ କରି ନଦୀପଠା ପୋତାଯିବା ବେଆଇନ ଦର୍ଶାଇ ପ୍ରଦୂଷଣ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ, ବେଆଇନ ଭାବେ ନଦୀପଠା ପୋତାଯିବା ସହ ହାଇକୋର୍ଟଙ୍କ ଆଦେଶର ଅବମାନନା କରାଯାଇଛି। ସେହିପରି ବାଲିଯାତ୍ରା ପଡ଼ିଆକୁ ୩୪ ଏକରରୁ ଆଉ ଅଧିକ ବର୍ଦ୍ଧିତ କରା ନ ଯିବାକୁ ବିଶେଷଜ୍ଞ କମିଟି ମତ ଦେଇଛି। ଏଥିଯୋଗୁ ଜିଲା ପ୍ରଶାସନର ପରିବର୍ଦ୍ଧିତ ଯୋଜନାକୁ ଏକ ପ୍ରକାର ଝଟ୍‌କା ଲାଗିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଜିଲାପାଳ ଭବାନୀଶଙ୍କର ଚୟନୀ କହିଛନ୍ତି, ଏନ୍‌ଜିଟି ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଆସିନାହିଁ। ଏଣୁ ବାଲିଯାତ୍ରା ପଡ଼ିଆରେ ଚଳିତ ବର୍ଷ ଏକଶହ ଏକର ପରିବର୍ଦ୍ଧିତ ପଠାରେ ସ୍ଥାୟୀ ଭିିତ୍ତିଭୂମି ସହ କେତେକ ନୂତନ ଦିଗ ପ୍ରତି ଧ୍ୟାନ ଦିଆଯାଉଛି। ସେହିପରି ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ କହିଛନ୍ତି, ୧୯-୨୦ ବର୍ଷରେ ବାଲିଯାତ୍ରା ରାଜ୍ୟ ଐତିହ୍ୟ ମାନ୍ୟତା ପାଇଥିଲା। ଚଳିତବର୍ଷ ସ୍ବତନ୍ତ୍ର ଭାବେ ଇଣ୍ଡୋନେସିଆ କର୍ନର, ୱାଟର ସ୍ପୋଟର୍‌ସ, ଇକୋରିଟ୍ରିଟ୍‌, ରିଭର ପଣ୍ଡ, ପଥ ଉତ୍ସବ, ଯୋଗକ୍ୟାମ୍ପ ଇତ୍ୟାଦି କରାଯିବା ସହ ଏ ବାବଦରେ ପ୍ରାୟ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

Related Articles

Back to top button