
ସଫଳତାର ସହ ପାଣିପାଗ ଉପଗ୍ରହ INSAT-3DS ଉତକ୍ଷେପଣ କରି ଇତିହାସ ରଚିଛି ISRO
ଇସ୍ରୋକୁ ମିଳିଛି ଆଉ ଏକ ସଫଳତା।ପାଣିପାଗ ଉପଗ୍ରହ INSAT-3DS ଉତକ୍ଷେପଣ କରି ଇତିହାସ ରଚିଛି ISRO। ତେବେ ଏହାଦ୍ୱାରା ଭାରତ ପାଇଁ ଆହୁରି ସହଜ ହେବାକୁ ଯାଉଛି ପାଣିପାଗ ପୂର୍ବାନୁମାନ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଆଜି ସନ୍ଧ୍ୟା ୫ଟା ୩୫ରେ ଏହି ‘INSAT-3DS’ ସାଟେଲାଇଟ୍ର ଉତକ୍ଷେପଣ ହୋଇଛି। GSLV-F14 ରକେଟ୍ ସାହାଯ୍ୟରେ ଏହାକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରାଯାଇଛି। ଏହି ‘INSAT-3DS’ ସାଟେଲାଇଟ ପାଣିପାଗ ପୂର୍ବାନୁମାନ ଏବଂ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସତର୍କ ସୂଚନା ଦେବାରେ ସହାୟକ ହେବ ବୋଲି କହିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ।
ଲଞ୍ଚ ହୋଇଥିବା ‘INSAT-3DS’ ସାଟେଲାଇଟ୍ ଯେଉଁ ରକେଟ୍ ମାଧ୍ୟମରେ ଉତକ୍ଷେପଣ କରାଯାଇଛି, ଏହାକୁ ଇସ୍ରୋର ‘ନଟି ବୟ’ ବୋଲି କୁହାଯାଏ। ‘ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍’ (GSLV)କୁ ଇସ୍ରୋର ପୂର୍ବତନ ଅଧ୍ୟକ୍ଷଙ୍କ ଦ୍ୱାରା ‘ନଟି ବୟ’ର ନାମକରଣ କରାଯାଇଥିଲା। ଇସ୍ରୋର ତଥ୍ୟ ଓ ଏହାର ଷ୍ଟ୍ରାଇକ୍ ରେଟ୍କୁ ଦୃଷ୍ଟିରେ ରଖି ପୂର୍ବତନ ଅଧ୍ୟକ୍ଷ ଏହାର ନାମକରଣ କରିଥିଲେ। ତେବେ ଏହି INSAT-3DS ନିଜ କକ୍ଷପଥରେ ଅବସ୍ଥାପିତ ହେବାପରେ ପାଣିପାଗ ସମ୍ବନ୍ଧୀୟ ସୂଚନା ଦେବା ସହ ଏହା ବାବଦରେ ପୂର୍ବାନୁମାନ କରିପାରିବ।
ଏହି ସାଟେଲାଇଟ ପାଣିପାଗ, ଜଳବାୟୁ ପରିବର୍ତ୍ତନ ସମେତ ପ୍ରାକୃତିକ ବିପର୍ଯ୍ୟୟ ନେଇ ଆଗୁଆ ସୂଚନା ଦେବାକୁ ସକ୍ଷମ ହୋଇଥିବା ବେଳେ ଏହା ଇସ୍ରୋ ଜିଓଷ୍ଟେସନାରୀ କକ୍ଷପଥରେ ସ୍ଥାନିତ ହେବାକୁ ଥିବା ୱେଦର ସାଟେଲାଇଟର ତୃତୀୟ ପୀଢିର ନୂଆ ମିଶନ ଅଟେ। GSLV-F14 ରକେଟ୍ ‘INSAT-3DS’ ସାଟେଲାଇଟ୍କୁ ଉତ୍କ୍ଷେପଣର ପ୍ରାୟ ୧୮ ମିନିଟ୍ ପରେ ନିର୍ଦ୍ଧାରିତ କକ୍ଷ ପଥରେ ପହଞ୍ଚାଇବ। ଏହି ସାଟେଲାଇଟ୍ ୧୭୦ କିମି ପେରିଜି ଓ ୩୬୬୪୭ କି.ମି. ଆପୋଜି ଯୁକ୍ତ ଅଣ୍ଡାକାର ଜିଟିଓ କକ୍ଷରେ ପରିକ୍ରମା କରିବ। ଏହି ସାଟେଲାଇଟ୍ର ଓଜନ ୨୨୪୭ କିଲୋଗ୍ରାମ୍ ରହିଛି । କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଏହି ସାଟେଲାଇଟ ତିଆରି କରାଯାଇଛି । ଏଥିରେ ୬ ଚ୍ୟାନେଲ ଇମେଜର ଓ ୧୯ ଚ୍ୟାନେଲ ସାଉଣ୍ଡର ମେଟ୍ରୋଲୋଜି ପେଲୋଡ୍ ଲାଗିଛି। ଇସ୍ରୋର ବୈଜ୍ଞାନିକମାନେ ବିଶେଷ ଜ୍ଞାନ କୌଶଳରେ ଏହାକୁ ନିର୍ମାଣ କରିଥିବା ବେଳେ ଏହାକୁ ନିର୍ମାଣ କରିବାରେ ପାଇଁ ୪୮୦କୋଟି ଟଙ୍କା ଖର୍ଚ୍ଚ ହୋଇଛି।