ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଷ୍ଟାମ୍ପ ଡ୍ୟୁଟି ଠକେଇ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ଭି.କେ. ସକ୍ସେନା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଉପରେ ଷ୍ଟାମ୍ପ ଡ୍ୟୁଟି ଠକେଇ ଅଭିଯୋଗ ରହିଛି। ଯାହା ଉପରେ ଏବେ ଏଲଜି ପଦକ୍ଷେପ ନେଇଛନ୍ତି। ଏଲଜି ଅଫିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଏହି ଅଭିଯୋଗକୁ ଚିଫ୍ ସେକ୍ରେଟାରୀଙ୍କ ନିକଟକୁ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଲାଗି ପଠାଇ ଦିଆଯାଇଛି।

ସୂଚନା ଅନୁସାରେ ଦିଲ୍ଲୀ ଚିଫ୍ ସେକ୍ରେଟାରୀଙ୍କୁ ଏଲଜିଙ୍କ ଅଫିସରୁ ଯେଉଁ ପତ୍ର ମିଳିଛି ସେଥିରେ ଅରବିନ୍ଦ କେଜରିୱାଲ ୩ଟି ପ୍ଲଟ ୪.୫୪ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ତେବେ କାଗଜରେ ଏହାକୁ ଅଣ୍ଡର ଭାଲ୍ୟୁ (ଅବମୂଲ୍ୟାୟନ) କରି ୭୨.୭୨ଲକ୍ଷ ଟଙ୍କା ଦେଖାଇଛନ୍ତି। ପତ୍ରରେ କେଜରିୱାଲ ଏହି ପ୍ଲଟ ଗୁଡିକୁ ପତ୍ନୀ ସୁନିତା କେଜରିୱାଲଙ୍କ ମାଧ୍ୟମରେ ବିକ୍ରି କରିଛନ୍ତି। ଯାହାର ବଜାର ଦର ପ୍ରତି ସ୍କୋୟାର ୟାର୍ଡ ୪୫ହଜାର ଟଙ୍କା ଥିଲା। ତେବେ କିଣା-ବିକା କାଗଜରେ ପ୍ରତି ସ୍କୋୟାରୟାର୍ଡ ଦର ୮ହଜାର ୩୦୦ ଟଙ୍କା ଦର୍ଶା ଯାଇଛି ବୋଲି ଉଲ୍ଲେଖ ରହିଛି।

ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ବିରୋଧରେ ଏଲଜିଙ୍କୁ ଏହି ଅଭିଯୋଗ ଗତ ଅଗଷ୍ଟ ୨୮ ତାରିଖରେ ମିଳିଥିଲା। ଦିଲ୍ଲୀ ଲୋକାୟୁକ୍ତଙ୍କ ଜରିଆରେ ଏହି ଅଭିଯୋଗର ତଦନ୍ତ କରିବା ପାଇଁ ନିବେଦନ କରାଯାଇଥିଲା। ଅଭିଯୋଗ ଅନୁସାରେ କେଜରିୱାଲ ରାଜକୋଷକୁ ଷ୍ଟାମ୍ପ ଡ୍ୟୁଟିରେ ୨୫.୯୩ ଲକ୍ଷ ଟଙ୍କା ଓ କ୍ୟାପିଟାଲ ଗେନ ଟ୍ୟାକ୍ସରେ ୭୬.୪ ଲକ୍ଷ ଟଙ୍କା ଠକେଇ କରିଛନ୍ତି। ଏଲଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଫ୍ ସେକ୍ରେଟାରୀଙ୍କୁ ପଠାଯିବା ଏକ ନୂଆ ବିବାଦର ଏବେ ସୂତ୍ରପାତ କରିବ ବୋଲି ଏବେ କୁହାଯାଉଛି।

Related Articles

Back to top button