କେଉଁ ପରିସ୍ଥିତିରେ ହୋଇଥିଲା ସାଇରସ୍ ମିସ୍ତ୍ରୀଙ୍କ କାରର ଦୁର୍ଘଟଣା, ଆସିଲା ଆରଟିଓ ରିପୋର୍ଟ

ପାଲଘର: ଟାଟା ସନ୍ସଙ୍କ ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ କାର ଦୁର୍ଘଟଣା ମାମଲାରେ ଆରଟିଓ ଡିପାର୍ଟମେଣ୍ଟ ଓ ମର୍ସିଡିଜ କାର କମ୍ପାନୀ ସେମାନଙ୍କ ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ପୋଲିସକୁ ପ୍ରଦାନ କରିଛନ୍ତି। ପାଲଘର ପୋଲିସକୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଦୁର୍ଘଟଣା ପୂର୍ବରୁ ସାଇରସ ମିସ୍ତ୍ରୀଙ୍କ କାରର ବେଗ କେତେ ଥିଲା, ବ୍ରେକ କେବେ ଲଗାଯାଇଥିଲା ଓ ଦୁର୍ଘଟଣା କାଳର ବେଗ କେତେ ଥିଲା ଆଦି ଏହି ରିପୋର୍ଟରେ କୁହାଯାଇଛି।

ମର୍ସିଡିଜ କମ୍ପାନୀ ରିପୋର୍ଟରେ କାର ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଗତି କରୁଥିବା କୁହାଯାଇଛି। ଏକ୍ସିଡେଣ୍ଟର ୫ ସେକେଣ୍ଡ ପୂର୍ବରୁ ଚାଳକ ଅନାହିତା ପଣ୍ଡୋଲେ ବ୍ରେକ ଲଗାଇଥିଲେ। ଫଳରେ କାରର ବେଗ ଘଣ୍ଟା ପ୍ରତି ୮୯ କିଲୋମିଟରରୁ ୧୧ କିଲୋମିଟରକୁ କମିଥିବା ଓ ଏହି ବେଗରେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଇଛି।

ସେହିପରି ଆରଟିଓ ଦେଇଥିବା ତାଙ୍କ ରିପୋର୍ଟରେ ଦୁର୍ଘଟଣା କାଳରେ କାରର ୪ଟି ଏୟାର ବ୍ୟାଗ୍ ଖୋଲିଯାଇଥିବା ଓ ଏଥିରୁ ୩ଟି ଡ୍ରାଇଭର ସମ୍ମୁଖରେ ତଳେ ଓ ମୁଣ୍ଡ ପାଖରେ ଖୋଲିଥିବା ବେଳେ ଗୋଟିଏ ଏୟାର ବ୍ୟାଗ୍‌ ଡ୍ରାଇଭର କଡ ସିଟ୍‌ ସମ୍ମୁଖରେ ଖୋଲିଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତେବେ ପାଲଘର ପୋଲିସ ମର୍ସିଡିଜ୍ କମ୍ପାନୀକୁ ୧୦୦ କିଲୋମିଟର ବେଗରେ ଯେତେବେଳେ ଅନାହିତା ବ୍ରେକ ଲଗାଇଲେ ତା ପୂର୍ବରୁ ବ୍ରେକ୍ ଲଗାଇଥିଲେ କି? ଯଦି ହଁ ତେବେ କେତେଥର ବ୍ରେକ ଲଗାଇଥିଲେ ବୋଲି ପଚାରିଛି। ତେବେ ଏ ସବୁର ଜବାବ ଲାଗି ମର୍ସିଡିଜ କମ୍ପାନୀ କାରକୁ ସେପ୍ଟେମ୍ବର ୧୨ ତାରିଖ ଦିନ ୱାର୍କସପ୍‌କୁ ନେଇଯିବେ ଓ ସେଠାରେ କମ୍ପାନୀର ହଙ୍ଗକଙ୍ଗ ଟିମ୍‌ କାରର ନୀରିକ୍ଷଣ କରି ବିସ୍ତୃତ ରିପୋର୍ଟ ଦେବେ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସାଇରସ ମିସ୍ତ୍ରୀଙ୍କର ଏକ ସଡକ ଦୁର୍ଘଟଣାରେ ଗତ ରବିବାର ମୃତ୍ୟୁ ହୋଇଥିଲା। ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ରାସ୍ତାର ପାଲଘର ନିକଟରେ ଏକ ପୋଲ ଉପରେ ତାଙ୍କ କାର ରୋଡ ଡିଭାଇଡରସହ ଧକ୍କା ଲାଗିଥିଲା। ଏହି ଦୁର୍ଘଟଣାରେ କାରର ପଛ ସିଟରେ ବସିଥିବା ସାଇରସ ମିସ୍ତ୍ରୀଙ୍କ ସହ ଜହାଙ୍ଗୀର ପଣ୍ଡୋଲେଙ୍କ ମୃତ୍ୟୁ ହୋଇଥିବା ବେଳେ ଆଗରେ କାର ଚଳାଉଥିବା ଡାକ୍ତର ଅନାହିତା ପଣ୍ଡୋଲେ ଓ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇ ଏବେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Related Articles

Back to top button