ଚୀନ୍‌ର ଏକ ଗେମିଂ କମ୍ପାନୀରେ ନିଯୁକ୍ତ ହେଲେ ରୋବୋ ସିଇଓ

ଚୀନ୍‌: ବିଶ୍ୱରେ ୪ର୍ଥ ଔଦ୍ୟୋଗିକ କ୍ରାନ୍ତି ଜୋର୍‌ଦାର ହେଉଥିବାବେଳେ ଟେକ୍ନୋଲୋଜି ଜଗତ ଏକ ବଡ଼ ଲମ୍ଫ ଦେଇଛି । ଚୀନ୍‌ର ଏକ ମୋବାଇଲ ଗେମ୍‌ କମ୍ପାନି ଏକ ରୋବୋକୁ ସିଇଓ ପଦରେ ନିଯୁକ୍ତ କରିଛି । କଥାଟା ବିଜ୍ଞାନ-କାଳ୍ପନିକ ଉପନ୍ୟାସର କାହାଣୀ ଭଳି ଲାଗୁଥିଲେ ମଧ୍ୟ ଏହା ସତ । କମ୍ପାନିର ନାମ ନେଟ୍‌ଡ୍ରାଗନ୍‌ ୱେବ୍‌ସଫ୍ଟ। ନେଟ୍‌ଡ୍ରାଗନ୍‌ ନିଯୁକ୍ତ କରିଥିବା କୃତ୍ରିମ ବୁଦ୍ଧିମତାସମ୍ପନ୍ନ ଏହି ମାନବ ରୋବୋର ନାମ ତାଙ୍ଗ ୟୁ।

ଏହାକୁ ଜଣେ ମହିଳା ମାନବ ରୋବୋର ପରିଚୟ ପ୍ରଦାନ କରାଯାଇଛି । ଚୀନ୍‌ର ଅନ୍ୟତମ ପ୍ରସିଦ୍ଧ ଓ ଜଣାଶୁଣା ଅନ୍‌ଲାଇନ୍‌ ଗେମ୍‌ ଡେଭ୍‌ଲପର୍‌ ହେଉଛି ନେଟ୍‌ଡ୍ରାଗନ୍‌ ଓ୍ୱେବ୍‌ସଫ୍ଟ । ମଲ୍ଟିପ୍ଲେୟର ଅନ୍‌ଲାଇନ୍‌ ଗେମ୍‌ ଏବଂ ମୋବାଇଲ ଆପ୍‌ ପ୍ରସ୍ତୁତି ଓ ପରିଚାଳନା ପାଇଁ ଏହା ପରିଚିତ । କମ୍ପାନିର ମୁଖ୍ୟ ଡିଭିଜନ୍‌ ଫୁଜିଆନ୍‌ ନେଟ୍‌ଡ୍ରାଗନ୍‌ ଓ୍ୱେବସଫ୍ଟରେ ସିଇଓ ଭାବେ ତାଙ୍କୁ ନିୟୁକ୍ତ ନିଯୁକ୍ତି ମିଳିଛି ।

କମ୍ପାନିର ଦୈନନ୍ଦିନ କାର୍ଯ୍ୟରେ ନିଷ୍ପତ୍ତି ନେବାରେ ଏହା ସାହାଯ୍ୟ କରିବ ଏବଂ ଅଧିକ ପ୍ରଭାବଶାଳୀ ରିସ୍କ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ ପ୍ରଦାନ କରିବ । ମ୍ୟାନେଜିଙ୍ଗ ବୋର୍ଡ ପାଇଁ ରିୟଲ୍‌-ଟାଇମ୍‌ ଡାଟା ସେଣ୍ଟର ଓ ଆନାଲିଟିକ୍ସ ଟୁଲ୍‌ ଭାବେ ମଧ୍ୟ ଏହାକୁ ପ୍ରୟୋଗ କରାଯାଇ ପାରିବ । କର୍ମଚାରୀଙ୍କ ପାଇଁ ଉତ୍ତମ କର୍ମ ପରିବେଶ ପ୍ରଦାନ କରିବା ମଧ୍ୟ ତାଙ୍ଗ ୟୁର କର୍ତ୍ତବ୍ୟ ।

କୃତ୍ରିମ ବୁଦ୍ଧିମତା ବିନା ଆଜିର ଟେକ୍ନୋଲୋଜି ବିଷୟରେ ଚିନ୍ତା କରିବା ସମ୍ଭବ ନୁହେଁ । ତେଣୁ ନେଟ୍‌ଡ୍ରାଗନ୍‌ ୱେବ୍‌ସଫ୍ଟ କମ୍ପାନିର ପ୍ରତିଷ୍ଠାତା ଡ. ଡିଜିଆନ୍‌ ଲିଉ ନିଜ କମ୍ପାନିରେ ଏହାର ଗୁରୁତ୍ୱକୁ ପ୍ରାଧାନ୍ୟ ଦେଇଛନ୍ତି । ସେ କହିଛନ୍ତି ‘ଆମର ବିଶ୍ୱାସ ଯେ କର୍ପୋରେଟ୍‌ ମ୍ୟାନେଜ୍‌ମେଣ୍ଟର ଭବିଷ୍ୟତ ହେଉଛି କୃତ୍ରିମ ବୁଦ୍ଧିମତା ।

ମାନବ ରୋବୋ ତାଙ୍ଗ ୟୁକୁ ସିଇଓ ରୂପେ ନିଯୁକ୍ତି ମିଳିବା ବ୍ୟବସାୟ ପରିଚାଳନାର ମାର୍ଗ ପରିବର୍ତ୍ତନରେ କୃତ୍ରିମ ବୁଦ୍ଧିମତାର ବ୍ୟବହାରକୁ ପ୍ରେତ୍ସାହିତ କରିବା ଏବଂ ଭବିଷ୍ୟତରେ ରଣନୀତିକ ଅବିବୃଦ୍ଧିକୁ ଆଗକୁ ନେବା । ଧୀରେ ଧୀରେ ଆମେ ମେଟାଭର୍ସ ଆଧାରିତ କାର୍ଯ୍ୟ ସମୁଦାୟରେ ରୂପାନ୍ତରିତ ହେଉଥିବାବେଳେ ତାଙ୍ଗ ୟୁ ରୋବୋକୁ ଏକ ଉନ୍ମୁକ୍ତ, ପାରସ୍ପରିକ ଓ ଅତ୍ୟନ୍ତ ସ୍ୱଚ୍ଛ ପ୍ରବନ୍ଧନ ମଡେଲ ରୂପେ ନିର୍ମାଣ କରିବାକୁ କମ୍ପାନି ପ୍ରୟାସ ଜାରି ରଖିଛି ।

ଏହା ଆମକୁ ବିଶ୍ୱସ୍ତରରେ ଅଧିକ ବ୍ୟାପକ ପ୍ରତିଭାଙ୍କୁ ଆକର୍ଷିତ କରିବାରେ ସମର୍ଥ କରିବ ଏବଂ ବୃହତ ଲକ୍ଷ୍ୟ ହାସଲ କରିବାର ସ୍ଥିତିକୁ ଆମକୁ ନେଇଯିବ ବୋଲି ଲିଉ କହିଛନ୍ତି । ୧୯୯୯ ମସିହାରେ ଅନ୍‌ଲାଇନ୍‌ ଗେମ୍‌ ଡେଭ୍‌ଲପର୍‌ କମ୍ପାନି ନେଟ୍‌ଡ୍ରାଗନ୍‌ର ସ୍ଥାପନା ହୋଇଥିଲା । ଇଉଡେମନ୍ସ ଅନ୍‌ଲାଇନ୍‌, ହିରୋଜ୍‌ ଇଭଲ୍‌ଭଡ୍‌, କନ୍‌କର ଅନ୍‌ଲାଇନ୍‌ ଓ ଅଣ୍ଡର୍‌ ଓଥ୍‌ ଭଳି ଅନେକ ଲୋକପ୍ରିୟ ଗେମ୍‌ ଏହା ପ୍ରସ୍ତୁତ କରିଛି । ଅନ୍ତର୍ଜାତୀୟ ସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷଣ ସମୁଦାୟ ସୃଷ୍ଟି ଲାଗି ୨୦୧୨ ମସିହାରେ ନେଟ୍‌ଡ୍ରାଗନ୍‌ ୱେବ୍‌ସଫ୍ଟ ଶିକ୍ଷା କ୍ଷେତ୍ରରେ କାମ ଆରମ୍ଭ କରିଛି ।

Related Articles

Back to top button