ଏଣିକି ଦିନ-ରାତି ଉଡ଼ିବ ଜାତୀୟ ପତାକା, ଫ୍ଲାଗ୍‌ କୋଡ୍‌ରେ ସଂଶୋଧନ…

ଏବେ ପଲିଷ୍ଟର ଏବଂ ମେସିନ ନିର୍ମିତ ଜାତୀୟ ପତାକା ମଧ୍ୟ ବ୍ୟବହାର କରାଯାଇପାରିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫ୍ଲାଗ କୋଡରେ ପରିବର୍ତ୍ତନ କରିଛନ୍ତି। ଏହାଦ୍ୱାରା ଏଣିକି ଜାତୀୟ ପତାକା ଦିନ-ରାତି ସବୁ ସମୟରେ ଉଡ଼ାଯାଇ ପାରିବ। ଏବେ ପଲିଷ୍ଟର ଏବଂ ମେସିନ ନିର୍ମିତ ଜାତୀୟ ପତାକା ମଧ୍ୟ ବ୍ୟବହାର କରାଯାଇପାରିବ। ସ୍ବାଧୀନତାର ଅମୃତ ମହୋତ୍ସବ ଅନ୍ତର୍ଗତ ସରକାର ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ପ୍ରତି ଘରେ ତିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ କରଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗର ସଚିବମାନଙ୍କୁ ଲେଖିଥିବା ଚିଠିରେ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଅଜୟ ଭାଲା କହିଛନ୍ତି ଯେ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନ, ଉତ୍ତୋଳନ ଏବଂ ବ୍ୟବହାର ଭାରତୀୟ ପତାକା ସଂହିତା ୨୦୦୨ ଏବଂ ଜାତୀୟ ଗୌରବ ଅପମାନ ନିବାରଣ ଅଧିନିୟମ, ୧୯୭୧ ଅଧୀନରେ ରହିଛି।

ଚିଠି ଅନୁଯାୟୀ, ଫ୍ଲାଗ କୋଡ ଅଫ ଇଣ୍ଡିଆ, ୨୦୦୨ ଆଦେଶରେ ୨୦ ଜୁଲାଇ, ୨୦୨୨ରେ ଏକ ସଂଶୋଧନ କରାଯାଇଛି । ଏହା ଅନୁସାରେ ବର୍ତ୍ତମାନ ଫ୍ଲାଗ କୋଡ ଅଫ ଇଣ୍ଡିଆର ୨୦୦୨ ର ଭାଗ-୨ର ଧାରା (୧୧) ବର୍ତ୍ତମାନ ନିମ୍ନଲିଖିତ ଭାବରେ ପଢ଼଼ାଯିବ, ପତାକା ଖୋଲା ସ୍ଥାନରେ ପ୍ରଦର୍ଶିତ ହେଉ କିମ୍ବା ନାଗରିକଙ୍କ ବାସଭବନରେ ପ୍ରଦର୍ଶିତ ହେଉ ତାହା ଦିନରାତି ଉଡ଼ିପାରିବ।

ଏହାପୂର୍ବରୁ, ଜାତୀୟ ପତାକାକୁ କେବଳ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉଡ଼ାଇବାକୁ ଅନୁମତି ଦିଆଯାଇଥିଲା।

ସେହିଭଳି ଫ୍ଲାଗ କୋଡର ଅନ୍ୟ ଏକ ବ୍ୟବସ୍ଥାରେ ସଂଶୋଧନ କରାଯାଇ କୁହାଯାଇଛି ଯେ ଜାତୀୟ ପତାକା ହାତରେ ବୁଣା ହେଉ କିମ୍ବା ମେସିନ ତିଆରି ହେଉ, ଏହା ସୂତା / ପଲିଷ୍ଟର / ପଶମ / ରେଶମ ଖଦିରେ ତିଆରି ହେବ। ଏହାପୂର୍ବରୁ ମେସିନ ଏବଂ ପଲିଷ୍ଟରରେ ପ୍ରସ୍ତୁତ ହୋଇଥିବା ଜାତୀୟ ପତାକା ବ୍ୟବହାରକୁ ଅନୁମତି ଦିଆଯାଇ ନ ଥିଲା।

Related Articles

Back to top button