ବୁଷ୍ଟର ଡୋଜ୍‌ ମଧ୍ୟରେ ବ୍ୟବଧାନ ହ୍ରାସ କରିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ଦୁଇଟି କରୋନା ଟିକାର ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନକୁ ୯ ମାସରୁ ୬ ମାସକୁ ହ୍ରାସ

ନୂଆଦିଲ୍ଲୀ: ଦେଶରେ କରୋନାର ଗତି ପୁଣି ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦୁଇଟି କରୋନା ଟିକାର ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନକୁ ୯ ମାସରୁ ୬ ମାସକୁ ହ୍ରାସ କରିଛି। ୧୮ ରୁ ୫୯ ବର୍ଷର ସମସ୍ତ ଲୋକ ଏବେ ୯ ମାସ ପରିବର୍ତ୍ତେ ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାପୂର୍ବରୁ, ୯ ମାସ କିମ୍ବା ୩୯ ସପ୍ତାହ ବ୍ୟବଧାନରେ ବୁଷ୍ଟର ଡୋଜ୍‌ ଦିଆଯାଉଥିଲା।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ବିଶ୍ୱସ୍ତରରେ ମିଳିଥିବା ପ୍ରମାଣ ଅନୁଯାୟୀ, ନ୍ୟାଶନାଲ ଟେକ୍‌ନିକାଲ ଆଡଭାଇଜରୀ ଗ୍ରୁପ ଅନ୍‌ ଇମ୍ୟୁନାଇଜେସନ(ଏନ୍‌ଟିଏଜିଆଇ)ର ଷ୍ଟାଣ୍ଡିଂ ଟେକ୍‌ନିକାଲ ସବ କମିଟି (ଏସ୍‌ଟିଏସ୍‌ସି) ଏହାର ପୂର୍ବ ପରାମର୍ଶକୁ ସଂଶୋଧନ କରିଛି। ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ବୁଷ୍ଟର୍‌ ଡୋଜ କିମ୍ବା କରୋନାର ସତର୍କତା ଡୋଜ ମଧ୍ୟରେ ଥିବା ବ୍ୟବଧାନକୁ ୬ ମାସ କିମ୍ବା ୨୬ ସପ୍ତାହ ବୋଲି କୁହାଯାଇଛି। ଏହା ଉପରେ ଏନ୍‌ଟିଏଜିଆଇ ଏହାର ସୁପାରିଶ ଦେଇଛି । ତେଣୁ ୧୮ ରୁ ୫୯ ବର୍ଷ ବୟସର ବ୍ୟକ୍ତିଙ୍କୁ କରୋନା ଟିକାର ବୁଷ୍ଟର ଡୋଜ ୬ ମାସ କିମ୍ବା ୨୬ ସପ୍ତାହ ବ୍ୟବଧାନ ପରେ ଦିଆଯିବା ଉଚିତ୍‌ ବୋଲି ନିଷ୍ପତ୍ତି ନିଆଯାଇଛି।
ଏହା ବ୍ୟତୀତ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ସରକାରୀ କେନ୍ଦ୍ରରେ ମାଗଣାରେ ବୁଷ୍ଟର ଡୋଜ ପାଇବେ। ସେମାନଙ୍କ ପାଇଁ ମଧ୍ୟ ଦୁଇଟି ବୁଷ୍ଟର୍‌ ଡୋଜ ମଧ୍ୟରେ ବ୍ୟବଧାନ ମାତ୍ର ୬ ମାସ ହେବ। ସ୍ବାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀମାନେ ମଧ୍ୟ ମାଗଣାରେ ବୁଷ୍ଟର ଡୋଜ ପାଇବେ। ଏହି ଟିକା ସମ୍ବନ୍ଧୀୟ ସୂଚନା କୋଓ୍ବିନ ଆପରେ ଅପଲୋଡ କରାଯାଇଛି।

Related Articles

Back to top button