୯ ତାରିଖ ସଂଧ୍ୟା ୬ଟାରେ ତୃତୀୟ ପାଇଁ ପ୍ରଧାନମନ୍ତ୍ରୀଭାବେ ଶପଥ ନେବେ ଏନଡିଏ ନେତା ନରେନ୍ଦ୍ର ମୋଦୀ

ତୃତୀୟ ପାଇଁ ପ୍ରଧାନମନ୍ତ୍ରୀଭାବେ ଶପଥ ନେବେ ଏନଡିଏ ନେତା ନରେନ୍ଦ୍ର ମୋଦୀ । ଆଜି ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲା ଏନଡିଏମେଂଟ । ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ମୋଦୀ କହିଛନ୍ତି ଗତ ଦୁଇ ପାଳିରୁ ମିଳିଥିବା ଅନୁଭୁତି ଓ ଅଭିଜ୍ଞତା ତୃତୀୟ ପାଳିରେ କାମରେ ଆସିବ । ଗତ ୧୦ବର୍ଷର ଶାସନରେ ଦେଶ ଦ୍ରୁତ ଗତିରେ ବିକାଶ କରିଛି ଓ ଆଗକୁ ଏହି ଦିଶାରେ ଅଧିକ ବଢ଼ିବ । ରବିବାର ଅର୍ଥାତ ୯ ତାରିଖ ସଂଧ୍ୟା ୬ଟାରେ ଶପଥପାଠ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ସଂସଦର ସେଂଟ୍ରାଲ ହଲରେ ଏନଡିଏ ମେଂଟଭୁକ୍ତ ସଦସ୍ୟ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ଉପସ୍ଥିତିରେ ଏନଡିଏ ନେତାଭାବେ ନରେନ୍ଦ୍ର ମୋଦୀ ନିର୍ବାଚିତ ହୋଇଛନ୍ତି । ଏଥିପାଇଁ ସମସ୍ତ ଦଳକୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ ଦେଶର ବିକାଶକୁ ତ୍ୱରାନିତ କରିବାକୁ ଏହି ବୈଠକରେ ମୋଦି ନିଜ ପ୍ରତିଶ୍ରୁତିକୁ ଦୋହରାଇଥିଲେ ।

ନିଜର ଏକଘଂଟାରୁ ଅଧିକ ସମୟ ଧରି ଅଭିଭାଷଣରେ ମୋଦୀ ଅର୍ନ୍ତଜାତୀୟ ସ୍ତରରେ ଗତ ୧୦ବର୍ଷ ଧରି ଭାରତର ନିରନ୍ତର ଭାଗିଧାରୀକୁ ଉଲ୍ଲେଖ କରିଥିଲେ । ସେହିଭଳି ପ୍ରତ୍ୟେକସ୍ତରରେ ସର୍ବସମ୍ମତି ଆଣିବାକୁ ମୋଦୀ ଗୁରୁତ୍ୱ ଦେଇଥିଲେ । ମାତ୍ର ନିଜର ଚିରାଚରିତ ଢ଼ଙ୍ଗରେ କଂଗ୍ରେସର ବର୍ଦ୍ଧିତ ଆସନକୁ କଟାକ୍ଷ କରିଥିଲେ

ଆଜି ଏନଡିଏ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଅଭିଭାଷଣ ଦେଇ ମୋଦୀଙ୍କୁ ଭୁରି ଭୁରି ପ୍ରଂଶସା କରିଥିଲେ । କୌଣସି ପରିସ୍ଥିତିରେ ଏନଡିଏକୁ ଛାଡିବେ ନାହିଁ ବୋଲି ନୀତୀଶଙ୍କ ବୟାନ ବୈଠକରେ ହାସ୍ୟରୋଳ ଖୋରାକ ଯୋଗାଇଥିଲା ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧ, ଜେଡିଏସ ନେତା କୁମାରସ୍ୱାମୀଙ୍କ ସହ ଏନଡିଏର ପ୍ରମୁଖ ନେତା ଉପସ୍ଥିତ ଥିଲେ । ଏହା ପରେ ମନ୍ତ୍ରୀମଣ୍ଡଳ ଗଠନ ନେଇ ଏନଡିଏର ତୁଙ୍ଗ ନେତାମାନଙ୍କ ମଧ୍ୟରେ ଆଲୋଚନା ହୋଇଛି ।

Related Articles

Back to top button