ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ‘ମିଶନ ଲାଇଫ୍’ ଅଭିଯାନ

ଭୁବନେଶ୍ୱର: ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ତେବେ ଭୁବନେଶ୍ୱର ଓ କଟକ ସମେତ ୭ଟି ସହର ଏବେ ଚିନ୍ତା ବଢ଼ାଇ ଦେଇଛି । ଏହି ୭ଟି ସହରର ୨୩ଟି ଅଞ୍ଚଳ ଓ ରାଜଧାନୀର ୫ଟି ସ୍ଥାନରେ ପ୍ରଦୂଷଣ ଲାଲ ବଳୟରେ ରହିଛି । ସେହି ଏହି କ୍ରମରେ କଟକର ୩ଟି, କଳିଙ୍ଗନଗରର ୨ଟି, ରାଉରକେଲାର ୫ଟି, ତାଳଚେରର ୩ଟି, ବାଲେଶ୍ୱରର ୨ଟି ଅଞ୍ଚଳ ସାମିଲ ରହିଛି । ସାଟେଲାଇଟ୍ ମାଧ୍ୟମରେ ଉଠାଯାଇଥିବା ଫଟୋ ଓ ପ୍ରଦୂଷଣ ମାପରୁ ଏହି ଭୟଙ୍କର ରିପୋର୍ଟ ସାମ୍ନାକୁ ଆସିଛି ।

ତେବେ ରାଜ୍ୟର ପ୍ରମୁଖ ସହରମାନଙ୍କରେ ପ୍ରଦୂଷଣର ମାନ ବଢ଼ିବାରେ ଲାଗିଥିବା ବେଳେ ଏହାକୁ ରୋକିବା ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ‘ମିଶନ ଲାଇଫ୍’ ନାମକ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନ ମାଧ୍ୟମରେ ପରିବେଶର ଭାରସାମ୍ୟ କିପରି ସନ୍ତୁଳନ ରଖାଯିବ ସେନେଇ ଲୋକମାନଙ୍କୁ ସଚେତନ କରାଯିବା ସହ ସହରାଞ୍ଚଳରେ ବର୍ଜ୍ୟ ବିଶୋଧନାଗାର ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବ । ଜଳ ଓ ଶକ୍ତି କ୍ଷେତ୍ର, ଖାଦ୍ୟ ଗ୍ରହଣ, ଜୀବନଶୈଳୀ ଓ ଇ-ବର୍ଜ୍ୟବସ୍ତୁର ସୁପରିଚାଳନା ନେଇ ଜନସାଧାରଣଙ୍କୁ ୭୫ ପ୍ରକାର କାର୍ଯ୍ୟ ଉପରେ ଅବଗତ କରାଯିବ ।

ତେବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏକ କ୍ଷେତ୍ରୀୟ ସଂସ୍ଥା ଭାବେ ପ୍ରଦୂଷଣ ନିୟନ୍ତ୍ରଣ ଉପରେ କାର୍ଯ୍ୟ ଆରମ୍ଭ କରିବ । ଏହି ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପ୍ରତି ମାସରେ ପୋର୍ଟାଲରେ ଅପଲୋଡ୍ କରାଯିବ । ତେବେ ଭୁବନେଶ୍ୱର, କଟକ ସହିତ ଅନୁଗୁଳର ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଗତ ୪ ବର୍ଷ ମଧ୍ୟରେ ତାଳଚେରର ବାୟୁର ମାନକ ମଧ୍ୟ ବଢ଼ିବାରେ ଲାଗିଛି । ସେହିପରି ଗତ ୪ ବର୍ଷ ମଧ୍ୟରେ କଳିଙ୍ଗନଗରର ସ୍ଥିତି ମଧ୍ୟ ଅନୁରୂପ ରହିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଜଳ ଓ ବାୟୁର ପ୍ରଦୂଷଣ ନେଇ ପୂର୍ବରୁ ମଧ୍ୟ ଏକାଧିକ ଥର ରିପୋର୍ଟ ଆସିଥିଲା ।

Related Articles

Back to top button