ପାର୍ଥ ଚାଟାର୍ଜୀଙ୍କ ପରେ ଏବେ ଇଡି ସ୍କାନରରେ ଏକାଧିକ ପଶ୍ଚିମବଙ୍ଗର ଟିଏମସି ନେତା ଓ ବିଧାୟକ

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀ ପରେ ଏବେ କ୍ଷମତାସୀନ ଟିଏମସିର ଏକାଧିକ ବିଧାୟକ ଓ ନେତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରରେ ରହିଛନ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଇଡି ପାର୍ଥଙ୍କୁ ଗିରଫ କରିବା ସହ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୫୦ କୋଟି ଟଙ୍କା ଜବତ କରିଛି। ଏବେ ଇଡି ଆହୁରି କିଛି ଟିଏମସି ନେତା ଓ ପ୍ରଶାସିନିକ ଅଧିକାରୀ ପାର୍ଥଙ୍କ କଳା କାରବାରରେ ସାମିଲ ଥିବା ସନ୍ଦେହ କରୁଛି। ସେମାନଙ୍କୁ ଖୁବଶୀଘ୍ର ଇଡି ଜେରା କରିବା ପାଇଁ ନୋଟିସ କରିବ ବୋଲି ମଧ୍ୟ ଜଣାପଡ଼ିଛି।

ଇଡି ସ୍କାନରରେ ପୂର୍ତ୍ତ ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀ ମଳୟ ଘାଟକ, ଟିଏମସିର ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳ, ରାଜ୍ୟ ଶିକ୍ଷା ମନ୍ତ୍ରୀ ପରେଶ ଅଧିକାରୀ, ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଓ ବେଙ୍ଗଲର ଶିକ୍ଷା ସଚିବ ମନୀଷ ଜୈନ ରହିଛନ୍ତି।

ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ପରେଶ ଅଧିକାରୀଙ୍କୁ ଇଡି ଜେରା କରି ସାରିଛି। ସେହିପରି ଦୁର୍ନୀତି ଘଟଣାର ଗୋଟିଏ ଦିନ ପୂର୍ବରୁ ମାଣିକ ଭଟ୍ଟାଚାର୍ଯ୍ୟକୁ ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ପଚରାଉଚରା କରିଥିଲା। ଏବେ ସେମାନଙ୍କୁ ଆଉ ଥରେ ଜେରା କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ପାର୍ଥ ଚାଟାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପଦରୁ ବିଦା କରିଛନ୍ତି। ମମତାଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଏପରି ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଟିଏମସି ମଧ୍ୟ ପାର୍ଥଙ୍କୁ ଦଳର ସମସ୍ତ ପଦପଦବୀରୁ ହଟାଇ ଦେଇଛି। ପାର୍ଥଙ୍କ ଘନିଷ୍ଠ ସହଯୋଗୀ ଅର୍ପିତାଙ୍କ ଗୋଟିଏ ଘରୁ ନଗଦ ୨୧.୯୦ କୋଟି ଓ ଆଉ ଗୋଟିଏ ଘରୁ ନଗଦ ୨୯ କୋଟି ଟଙ୍କା ମିଳିଛି। ଆଜି ମଧ୍ୟ କୋଲକାତାରେ ଅର୍ପିତାଙ୍କର ଆଉ ଗୋଟିଏ ଘରେ ଇଡିର ଅଧିକାରୀମାନେ ସର୍ଚ୍ଚ ଅପରେସନର କରୁଛନ୍ତି।

Related Articles

Back to top button