ଏଣିକି ଭୋଟର ତାଲିକାରେ ପଞ୍ଜିକରଣ ପାଇଁ ବର୍ଷକୁ ୪ଟି ସୁଯୋଗ ମିଳିବ

୧୭ ବର୍ଷରୁ ଅଧିକ ଯୁବପୀଢି ଭୋଟର ତାଲିକାରେ ସେମାନଙ୍କ ନାମ ସାମିଲ କରିବା ପାଇଁ ଆଗୁଆ ଆବେଦନ କରିପାରିବେ ଓ ସେମାନଙ୍କୁ ୧୮ ବର୍ଷ ହେବା ପରର ଜାନୁୟାରୀ ୧ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଓ ନିର୍ବାଚନ ଆୟୁକ୍ତ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ନେତୃତ୍ୱାଧୀନ ଭାରତୀୟ ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟର ସିଇଓ/ଇଆରଓ/ଏଇଆରଓଙ୍କୁ କେବଳ ଜାନୁୟାରୀ ୧ ନୁହେଁ ବରଂ ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ରେ ମଧ୍ୟ ଆଗୁଆ ଆବେଦନ ଦାଖଲ ପାଇଁ ଯୁବପୀଢିଙ୍କୁ ପ୍ରଯୁକ୍ତିଗତ ସମାଧାନ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଠାରୁ ଭୋଟର ତାଲିକା ପ୍ରତି ତିନି ମାସରେ ଅପଡେଟ ହେବ ଓ ସେହି ବର୍ଷର ପ୍ରତି ତିନି ମାସରେ ୧୮ ବର୍ଷ ବୟସ୍କ ହେଉଥିବା ଯୋଗ୍ୟ ଯୁବପୀଢିଙ୍କୁ ଭୋଟର ତାଲିକାରେ ପଞ୍ଜିକରଣ କରିପାରିବେ। ପଞ୍ଜିକୃତ ହେବା ପରେ ସେମାନଙ୍କୁ ଏକ ଭୋଟର ଫଟୋ ପରିଚୟ ପତ୍ର ଜାରି କରାଯିବ। ଭୋଟର ତାଲିକା, ୨୦୨୩ର ବାର୍ଷିକ ସଂଶୋଧନର ଚଳନ୍ତି ପର୍ୟ୍ୟାୟ ପାଇଁ ୨୦୨୩ର ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ରେ ୧୮ ବର୍ଷର ନାଗରିକ ଖସଡା ଭୋଟର ତାଲିକା ପ୍ରକାଶନ ପୂର୍ବରୁ ଭୋଟର ଭାବେ ପଞ୍ଜିକରଣ ପାଇଁ ଆଗୁଆ ଆବେଦନ କରିପାରିବେ ।

ଜନପ୍ରତିନିଧି ଅଧିନିୟମ ୧୯୫୦ର ଧାରା ୧୪ବି ଅନୁଯାୟୀ ଓ ଭୋଟର ପଞ୍ଜିକରଣ ଅଧିନିୟମ, ୧୯୬୦ରେ ହୋଇଥିବା ସଂଶୋଧନ ଅନୁଯାୟୀ ଭାରତୀୟ ନିର୍ବାଚନ ଆୟୋଗ ବିଧାନସଭା/ଲୋକସଭା ନିର୍ବାଚନ କ୍ଷେତ୍ରଗୁଡିକର ଭୋଟର ତାଲିକା ପ୍ରସ୍ତୁତି/ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ, ଭାରତୀୟ ନିର୍ବାଚନ ଆୟୋଗଙ୍କ ସୁପାରିଶ ଅନୁଯାୟୀ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ନିକଟରେ ଜନପ୍ରତିନିଧି ଆଇନରେ ସଂଶୋଧନ କରି ଭୋଟର ତାଲିକାରେ ଯୁବପୀଢିଙ୍କୁ ସାମିଲ କରିବାକୁ ପୂର୍ବର ଗୋଟିଏ ତାରିଖ ଜାନୁୟାରୀ ୧ ବଦଳରେ ଚାରିଟି ତାରିଖ ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧କୁ ସାମିଲ କରିଛନ୍ତି ।

ପ୍ରଚଳିତ ନୀତି ଅନୁଯାୟୀ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଜାନୁୟାରୀ ୧କୁ ଭିତ୍ତି କରି ପ୍ରତି ବର୍ଷ ଶେଷ ତିନି ମାସରେ ଭୋଟର ତାଲିକା ସଂଶୋଧନ ହୋଇଥାଏ, ଯେପରି ପର ବର୍ଷ ଜାନୁୟାରୀ ମାସପ୍ରଥମ ସପ୍ତାହରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇପାରିବ । ଫଳରେ ଜାନୁୟାରୀ ୧ ପରେ ୧୮ ବର୍ଷ ପୂରଣ କରୁଥିବା ବହୁସଂଖ୍ୟକ ଯୁବପୀଢିଙ୍କୁ ପର ବର୍ଷର ସ୍ୱତନ୍ତ୍ର ସଂଶୋଧନ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ । ଯାହାଦ୍ୱାରା ସେମାନେ ଏହି ସମୟ ମଧ୍ୟରେ କୌଣସି ନିର୍ବାଚନରେ ଭାଗ ନେଇପାରନ୍ତି ନାହିଁ ।

ସେହିପରି ପଞ୍ଜିକରଣ ଫର୍ମକୁ ମଧ୍ୟ ଆୟୋଗଙ୍କ ପକ୍ଷରୁ ସରଳ ଓ ବ୍ୟବହାର ଉପଯୋଗୀ କରାଯାଇଛି। ଅଗଷ୍ଟ ୧, ୨୦୨୨ ଠାରୁ ନୂତନ ପରିବର୍ତ୍ତିତ ଫର୍ମ ଲାଗୁ ହେବ। ଅଗଷ୍ଟ ୧, ୨୦୨୨ ପୂର୍ବରୁ ପ୍ରଚଳିତ ଫର୍ମରେ ପ୍ରାପ୍ତ ସମସ୍ତ ଆବେଦନକୁ ବିବେଚନା କରାଯିବ ଓ ଏଥିପାଇଁ ନୂଆ ଫର୍ମରେ ଆବେଦନ କରିବାର ଆବଶ୍ୟକତା ନାହିଁ ।

ମତଦାନ ହେବାକୁ ଥିବା ରାଜ୍ୟଗୁଡିକୁ ବାଦ ଦେଇ ଅନ୍ୟ ରାଜ୍ୟଗୁଡିକୁ ୧. ୧.୨୦୨୩ରୁ ବାର୍ଷିକ ସଂଶୋଧନ ପାଇଁ ଆୟୋଗ ଆଦେଶ ଦେଇଛନ୍ତି। ସଂଶୋଧନ ପୂର୍ବର ସମସ୍ତ କାର୍ୟ୍ୟବିଧି ଆୟୋଗଙ୍କ ବର୍ତ୍ତମାନର ନିର୍ଦ୍ଦେଶ ଓ ଭୋଟର ତାଲିକା ମାନୁଆଲ, ୨୦୧୬ ଓ ମତଦାନ କେନ୍ଦ୍ର ମାନୁଆଲ, ୨୦୨୦ ଅନୁଯାୟୀ କରାଯିବ। ସଂଶୋଧନ ଓ ସଂଶୋଧନ ପୂର୍ବର କାର୍ୟ୍ୟବିଧି ଏପରି ଭାବେ କରାଯିବ ଯେପରି ଜାତୀୟ ମତଦାତା ଦିବସ ପୂର୍ବରୁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇପାରିବ ଓ ନୂଆ ଭୋଟର ବିଶେଷ କରି ଯୁବ ଭୋଟର (୧୮-୧୯ ବର୍ଷର)ମାନଙ୍କୁ ଭୋଟର ଫଟୋ ପରିଚୟ ପତ୍ର ଜାତୀୟ ମତଦାତା ଦିବସ ଅବସରରେ ଆନୁଷ୍ଠାନିକ ଭାବେ ବଣ୍ଟା ଯାଇପାରିବ ।

ସଂଶୋଧନ କାର୍ୟ୍ୟକ୍ରମରେ ମତଦାନ କେନ୍ଦ୍ରର ପୁର୍ନବିନ୍ୟାସ, ଜନସଂଖ୍ୟାଗତ/ଫଟୋ ତ୍ରୁଟି ସଂଶୋଧନ, ୧.୧୦.୨୦୨୨କୁ ଭିତ୍ତି କରି ଅତିରିକ୍ତ ଓ ସମନ୍ୱିତ ଖସଡା ତାଲିକା ପ୍ରସ୍ତୁତି ଆଦି ସାମିଲ ରହିଛି। ଚଳିତ ସଂଶୋଧନ କାର୍ୟ୍ୟକ୍ରମ ବେଳେ ଭୋଟର ତାଲିକାରୁ ଜନସଂଖ୍ୟାଗତ/ଫଟୋ ତ୍ରୁଟି ସୁଧାରିବା ସହ ଏପିକ ସଂକ୍ରାନ୍ତୀୟ ତ୍ରୁଟି ଶତ ପ୍ରତିଶତ ସୁଧାରିବା ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ସଂଶୋଧନ ପ୍ରକ୍ରିୟାରେ ଖସଡା ଭୋଟର ତାଲିକା ପ୍ରକାଶନ ପରେ ପ୍ରାପ୍ତ ଦାବି ଓ ଅଭିଯୋଗର ସମାଧାନ ସାମିଲ ହେବ। ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅନୁଯାୟୀ ଏକ ମାସ ମଧ୍ୟରେ ଦାବି ଓ ଅଭିଯୋଗ ଜଣାଇବାକୁ ହେବ। ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ମାନଙ୍କ ଦ୍ୱାରା ସପ୍ତାହାନ୍ତରେ ବିଶେଷ ଶିବିର ଆୟୋଜନ କରାଯିବ। ଏହି ତାରିଖ ସମ୍ପର୍କରେ ସିଇଓମାନେ ଅବଗତ କରାଇବେ । ଅନ୍ତିମ ଭୋଟର ତାଲିକା ଜାନୁୟାରୀ ୫, ୨୦୨୩ରେ ପ୍ରକାଶିତ ହେବ।

Related Articles

Back to top button