
ଟ୍ରେନର ସ୍ପିଡ ଘଣ୍ଟାପ୍ରତି ୨୦୦ କିଲୋମିଟର କରିବା ପାଇଁ ୧୦୦ ଟ୍ରେନ କିଣିବ ରେଲୱେ
ଭାରତୀୟ ରେଲୱେର RDSO ଦେଶରେ ଟ୍ରେନର ସ୍ପିଡ ଘଣ୍ଟାପ୍ରତି ୨୦୦ କିଲୋମିଟର କରିବା ପାଇଁ ୧୦୦ ଟ୍ରେନ କିଣିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଦେଶରେ ବର୍ତ୍ତମାନ ସମୟରେ ରାଜଧାନୀ ଏବଂ ଶତାବ୍ଦୀ ପରି ଏକ୍ସପ୍ରେସ ଟ୍ରେନ ଘଣ୍ଟାପ୍ରତି ୧୩୦ କିଲୋମିଟର ବେଗରେ ଗତି କରୁଛି। ଟ୍ରେନର ଗତି ଘଣ୍ଟାପ୍ରତି ୨୦୦ କିଲୋମିଟର ହେବା ଦ୍ୱାରା ଲୋକଙ୍କ ଯାତ୍ରା ସମୟ ୨ରୁ ୩ ଘଣ୍ଟା କମିବ। ଲକ୍ଷ୍ନୌରୁ ଦିଲ୍ଲୀର ଯାତ୍ରା ସମୟ ୨.୩୦ ଘଣ୍ଟା ହେବ। ସେହିପରି ଦିଲ୍ଲୀରୁ ପାଟନା ୫ ଘଣ୍ଟା ଏବଂ ଦିଲ୍ଲୀରୁ ମୁମ୍ୱାଇ ୭ ଘଣ୍ଟା ହେବ । ବିମାନ ବନ୍ଦରରେ ରିପୋର୍ଟିଂ ଟାଇମ, ଚେକ୍ ଇନ ଏବଂ ସୁରକ୍ଷା ଯାଞ୍ଚ ସମୟକୁ ବାଦ ଦେଲେ ୮୦୦-୧୦୦୦ କିଲୋମିଟର ଦୂର ଯାତ୍ରାରେ ଟ୍ରେନ, ବିମାନ ଯାତ୍ରାକୁ ଟକ୍କର ଦେବ।
ଆରଡିଏସଓର ଡିଜି ସଞ୍ଜୀବ ଭୁଟାନୀ କହିଛନ୍ତି, ନିକଟ ଭବିଷ୍ୟତରେ ଯାତ୍ରୀଙ୍କୁ ଉତ୍ତମ ସୁବିଧା ଯୋଗାଇବା ପାଇଁ ଅନେକ ଦିଗ ଉପରେ କାମ କରାଯାଉଛି । ଏହା ଜରିଆରେ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ଗତି କରି ପାରୁଥିବା ୧୦୦ ଟ୍ରେନ କିଣିବା ପାଇଁ ପ୍ରସ୍ତୁତି କରାଯାଉଛି । ଏଥିପାଇଁ ବିଜ୍ଞପ୍ତି ଜାରି କରାଯାଇଛି।
ଭୁଟାନୀ କହିଛନ୍ତି, ଆରଡିଏସଓରେ ଉଭୟ ପଟୁ ପାୱାର ୟୁନିଟ ଲଗାଯାଇଛି । ଟ୍ରେନ ଗୁଡିକର ଟ୍ରାଏଲ ପାଇଁ ଟ୍ରାକ ଉପରେ କାମ କରାଯାଉଛି । ୨୦୨୨ ମାର୍ଚ୍ଚ ୪ରେ ରେଲୱେ କବଚର ସଫଳ ପରୀକ୍ଷଣ କଥା ମଧ୍ୟ ସେ କହିଛନ୍ତି । ଚଳିତ ବର୍ଷ ଠାରୁ ଟ୍ରେନ ଗୁଡିକରେ କବଚ ଲଗାଯିବ ଆରମ୍ଭ ହେବ । ଏହାଦ୍ୱାରା ଭବିଷ୍ୟତରେ ଟ୍ରେନ ଦୁର୍ଘଟଣାର ସମ୍ଭାବନା ହ୍ରାସ ହେବ ଏବଂ ଯାତ୍ରୀଙ୍କ ଯାତ୍ରା ଅଧିକ ସୁରକ୍ଷିତ ହୋଇପାରିବ ।