ରତନ ଟାଟା ହେଲେ ପିଏମ କେୟାର୍ସ ଫଣ୍ଡର ଟ୍ରଷ୍ଟି

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଭାରତୀୟ ଉଦ୍ୟୋଗପତି  ତଥା ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟାଙ୍କୁ ଏକ ବଡ ଦାୟିତ୍ଵ ମିଳିଛି। ତାଙ୍କୁ ପିଏମ କେୟାର ଫଣ୍ଡର ନୂତନ ଟ୍ରଷ୍ଟି ଭାବେ ନିଯୁକ୍ତ କରାଯାଇଛି। ଟାଟାଙ୍କ ସହିତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି କେଟି ଥୋମାସ ଏବଂ ଲୋକସଭାର ପୂର୍ବତନ ଉପ ବାଚସ୍ପତି କାରିୟା ମୁଣ୍ଡାଙ୍କୁ ମଧ୍ୟ ପିଏମ କେୟାର୍ସ ଫଣ୍ଡର ଟ୍ରଷ୍ଟି କରାଯାଇଛି।

ଏହାବାଦ ଦେଶର କିଛି ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ପରାମର୍ଶଦାତା ସମୂହ ପାଇଁ ମନୋନୀତ କରାଯାଇଛି। ଆଡଭାଇଜରି ବୋର୍ଡରେ ପୂର୍ବତନ ସିଏଜ ରାଜୀବ ମେହେର୍ଷି, ଇନଫୋସିସ ଫାଉଣ୍ଡେସନର ପୂର୍ବତନ ଅଧ୍ୟକ୍ଷ ସୁଧା ମୂର୍ତ୍ତି, ଇଣ୍ଡିକପର୍ସ ଏବଂ ପିରାମଲ ଫାଉଣ୍ଡେସନର ପୂର୍ବତନ ସିଇଓ ଆନନ୍ଦ ଶାହଙ୍କୁ ସ୍ଥାନ ମିଳିଛି।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୋର୍ଡ ଅଫ ଟ୍ରଷ୍ଟିର ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ। ନୂତନ ଭାବେ ଚୟନ ହୋଇଥିବା ସଦସ୍ୟ ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବୈଠକରେ ନୂତନ ଟ୍ରଷ୍ଟିମାନଙ୍କୁ ସ୍ଵାଗତ କରିଛନ୍ତି। ଉଲ୍ଲେଖନୀୟ ପିଏମ କେୟାର୍ସ ଫଣ୍ଡ ୨୦୨୦ରେ କରୋନା ମହାମାରୀ ସମୟରେ ସ୍ଥାପନ କରାଯାଇଥିଲା। ଏହି ଫଣ୍ଡର ଅଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ରତନ ଟାଟା ଏମିତି ଜଣେ ବ୍ୟକ୍ତି ଯିଏ କେବଳ ଜଣେ ଉଦ୍ୟୋଗପତି ନୁହନ୍ତି ବରଂ ଜଣେ ପରୋପକାରୀ ଏବଂ ହୃଦୟବାନ ବ୍ୟକ୍ତି। ସେ ଲୋକଙ୍କ ପାଇଁ ଆଦର୍ଶ ଏବଂ ପ୍ରେରଣାର ସ୍ରୋତ ମଧ୍ୟ। ସେ  ଟାଟା ଗ୍ରୁପ ସହ ଜଡିତ ଛୋଟରୁ ଛୋଟ କର୍ମଚାରୀଙ୍କୁ ନିଜର ପରିବାର ମାନିଥାନ୍ତି। କର୍ମଚାରୀମାନଙ୍କ ସୁଖ ଦୁଃଖ ବୁଝିବାରେ ତିଳେ ହେଲେ ହେଳା କରନ୍ତି ନାହିଁ। ଏପରିକି ଆୟର ଏକ ବଡ ଅଂଶକୁ ସେ ଦାନ କରି ଆସିଛନ୍ତି।

Related Articles

Back to top button