ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ବଢ଼ି ପାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି

ନୂଆଦିଲ୍ଲୀ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ବଢ଼ି ପାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି। ମାଗଣା ରାସନ ବଣ୍ଟନ କରିବାର ବୃହତ ଯୋଜନାକୁ ଆଗାମୀ ଛଅ ମାସ (ମାର୍ଚ୍ଚ ୨୦୨୩ ସୁଦ୍ଧା) ଯାଏଁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। କୋଭିଡ୍ ଅବଧି ସମୟରେ ଏପ୍ରିଲ୍ ୨୦୨୦ ରେ ଏହି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଆରମ୍ଭ ହୋଇଥିଲା। ପରେ ମାର୍ଚ୍ଚ ୨୦୨୨ ରେ ଏହି ଯୋଜନା ଛଅ ମାସ ଅର୍ଥାତ୍ ସେପ୍ଟେମ୍ବର ଯାଏଁ ବୃଦ୍ଧି କରିଥିଲେ ସରକାର। ଏହି ଯୋଜନାରେ ସିଧାସଳଖ ୮୦ କୋଟି ଜନତା ଯୋଡି ହୋଇଛନ୍ତି।

କେନ୍ଦ୍ରୀୟ ଖାଦ୍ୟ ବିଭାଗରେ ଏହି ଯୋଜନାର ଅବଧି ବୃଦ୍ଧି କରିବା ନେଇ ଆଲୋଚନା କରାଯାଇଛି। ତେବେ ଏନେଇ କୌଣିସ ବିଜ୍ଞପ୍ତି ପ୍ରକାଶ ପାଇନାହିଁ କିମ୍ବା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ଅଧିକାରୀଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହେଉଛି ବିଶ୍ୱର ସର୍ବବୃହତ ଖାଦ୍ୟ ଯୋଜନା। ଏଥିପାଇଁ ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ରହିଛି। ସରକାର ଏହି ଯୋଜନାରେ ଏପର୍ଯ୍ୟନ୍ତ ୩.୪୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏପରି ପରିସ୍ଥିତିରେ, ଏହି ଯୋଜନାର ଅବଧି କାଳ ବଢାଇବା ଦ୍ୱାରା ରାସନ କାର୍ଡଧାରୀମାନେ ସିଧାସଳଖ ଉପକୃତ ହେବେ।

କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅନୁଯାୟୀ ଦେଶର ସମସ୍ତ ଗରିବ ରାସନ କାର୍ଡଧାରୀ ପରିବାର ମୁଣ୍ଡ ପିଛା ୫ କିଲୋଗ୍ରାମ ରାସନ ଯୋଗାଇ ଦିଆଯାଉଛି। ପ୍ରାରମ୍ଭରେ, ଏହି ଯୋଜନା ଅନୁଯାୟୀ ପରିବାର ପ୍ରତି ଏକ କିଲୋଗ୍ରାମ ଚଣା ଡାଲି ଏବଂ ଅତ୍ୟାବଶ୍ୟକ ମସଲା ପ୍ୟାକେଟ ଦିଆଯାଉଥିଲା। ପୂର୍ବରୁ ଏହି ଯୋଜନା କେବଳ ରେସନ କାର୍ଡଧାରୀଙ୍କ ପାଇଁ ଥିଲା। ପରେ ଯେଉଁ ଗରିବ ଲୋକଙ୍କ ନିକଟରେ ରାସନ କାର୍ଡ ନଥିଲା ସେମାନେ ମଧ୍ୟ ଏହି ଯୋଜନାରେ ଯୋଡି ହୋଇଥିଲେ।

Related Articles

Back to top button