‘ରାତି ସାରା ଶୋଇ ପାରିନଥିଲି, ବହୁତ ଯନ୍ତ୍ରଣାଦାୟକ ଥିଲା’, ଟ୍ଵିନ୍ ଟାଓ୍ଵାର ଭାଙ୍ଗିବା ପରେ ନିଜ ଅନୁଭୂତି ବଖାଣିଲେ ସୁପରଟେକ୍‌ର ଚେୟାରମ୍ୟାନ

ନୂଆଦିଲ୍ଲୀ: ନୋଏଡାରେ ସୁପରଟେକ୍ ଟ୍ଵିନ୍ ଟାଓ୍ଵାର ମାଟିରେ ମିଶି ସାରିଛି। ଟ୍ଵିନ୍ ଟାଓ୍ଵାରର ନିର୍ମାଣ ସମୟରେ ନିୟମର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ସମୟ ଧରି ଆଇନଗତ ପ୍ରକ୍ରିୟା ପରେ ଶେଷରେ ଅଗଷ୍ଟ ୨୮ରେ ଟ୍ଵିନ୍ ଟାଓ୍ଵାରକୁ ବିସ୍ଫୋରକ ଜରିଆରେ ମାଟିରେ ମିଶାଇ ଦିଆଯାଇଛି। ଏହା ଉପରେ ଏବେ ସୁପରଟେକ୍‌ର ଚେୟାରମ୍ୟାନ ଆରକେ ଆରୋରାଙ୍କ ପ୍ରତିକ୍ରିୟା ଆସିଛି। ତାଙ୍କ କହିବା କଥା ଏମରଲ୍ଡ କୋର୍ଟରେ ଟ୍ଵିନ୍ ଟାଓ୍ଵାରର ନିର୍ମାଣ ସମୟରେ କୌଣସି ପ୍ରକାର ନିୟମର ଉଲ୍ଲଂଘନ ହୋଇନଥିଲା। ଏମରଲ୍ଡ କୋର୍ଟର ନିଷ୍ପତ୍ତି କ୍ରମେ ହିଁ ଟାଓ୍ଵାର ନିର୍ମାଣ କାମ ଜାରି ରହିଥିଲା। ମାତ୍ର ଏହାର ଉଚ୍ଚତା ୪୦ ମହିଲା ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନିଷ୍ପତ୍ତି  ପରେ ନିଆଯାଇଥିଲା। ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ଆରୋରା।

ଆରକେ ଅରୋରାଙ୍କ କହିବା କଥା ସେ କୌଣସି ନିୟମ ଭାଙ୍ଗିନଥିଲେ। ସୁପ୍ରିମକୋର୍ଟ ଟାଓ୍ଵାର ଭାଙ୍ଗିବାର ଆଦେଶ ଏଥିପାଇଁ ଦେଇଥିଲେ କାରଣ ଟ୍ଵିନ୍ ଟାଓ୍ଵାରର ଉଚ୍ଚତା ବଢାଇବା ପୂର୍ବରୁ ସେଠାରେ ଥିବା ୧୫ ଟାଓ୍ଵାରର ଲୋକଙ୍କ ଅନୁମତି ନିଆଯାଇନଥିଲା। ଆରୋରା ଏହା ଉପରେ ମଧ୍ୟ ନିଜର ସଫେଇ ଦେଇଛନ୍ତି। ସେ କହିଛନ୍ତି ଅନୁମତି ନେବାର କାମ ପ୍ରଶାସନର ଥିଲା। ଯାହାର ନିୟମ ୨୦୧୪ରେ ଲାଗୁ କରାଯାଇଥିଲା।

ମୁଁ ପୂରା ରାତି ଶୋଇ ପାରିନଥିଲି

ରବିବାର ଯେବେ ଟ୍ଵିନ୍ ଟାଓ୍ଵାର ଭଙ୍ଗାଗଲା କଣ ଆରକେ ଆରୋରା ଏହି ଦୃଶ୍ୟ ଦେଖୁଥିଲେ ? ଏହି ପ୍ରଶ୍ନର ଉତ୍ତରରେ ସୁପରଟେକର ଚେୟାରମ୍ୟାନ କହିଛନ୍ତି, ଯେଉଁ ଦିନ ଟ୍ଵିନ୍ ଟାଓ୍ଵାର ଭଙ୍ଗାଯିବାର ଥିଲା, ତାର ପୂର୍ବ ପୂରା ରାତି ମୋତେ ନିଦ ଆସିନଥିଲା। ମୋତେ ଏହି ଚିନ୍ତା ଘାରୁଥିଲା ଯେ, ଟାଓ୍ଵାର ଭଙ୍ଗାଯିବା ସମୟରେ ଯେମିତି ଅନ୍ୟ କୋଠାକୁ କ୍ଷତି ନପହଞ୍ଚୁ। ଏଥିପାଇଁ ଆମେ ବିଲ୍ଡିଂ ଭାଙ୍ଗୁଥିବା ସବୁଠୁ ଉନ୍ନତ ଏକ୍ସପର୍ଟ କମ୍ପାନୀକୁ ଦାୟିତ୍ଵ ଦେଇଥିଲୁ।

ଅଭିଯୋଗ ଉପରେ କଣ କହିଲେ ଆରକେ ଆରୋରା ?

ଟ୍ଵିନ୍ ଟାଓ୍ଵାର ମାମଲାରେ ସୁପରଟେକ୍ ଉପରେ ଅନେକ ପ୍ରକାରର ଅଭିଯୋଗ ଲାଗିଛି। ପ୍ରଥମେ ଯୋଜନାରେ ଟ୍ଵିନ୍ ଟାଓ୍ଵାର ନଥିଲା। ତଥାପି ଏହାକୁ ନିର୍ମାଣ କରାଗଲା। କଣ ଗାର୍ଡେନ ସ୍ଥାନରେ ନିର୍ମାଣ କରାଯାଇଥିଲା ଟ୍ଵିନ୍ ଟାଓ୍ଵାର ? ଏହି ପ୍ରଶ୍ନର ଉତ୍ତରରେ ଆରୋରା କହିଛନ୍ତି, ପ୍ରୋଜେକ୍ଟ ଦୁଇଟି ପର୍ଯ୍ୟାୟରେ ପୂରା କରାଯିବାର ଥିଲା। ପ୍ରଥମେ ପର୍ଯ୍ୟାୟରେ ୧୫ ଟାଓ୍ଵାର ନିର୍ମାଣ କରାଗଲା ଏବଂ ଲୋକଙ୍କୁ ହସ୍ତାନ୍ତର କରାଗଲା। ଦ୍ଵିତୀୟ ପର୍ଯ୍ୟାୟରେ ପରବର୍ତ୍ତୀ କାମ ହେବାର ଥିଲା। ଦ୍ଵିତୀୟ ପର୍ଯ୍ୟାୟ କାମ ପାଇଁ ସ୍ଥାନକୁ ଖାଲି ଥିବା ଦର୍ଶା ଯାଇଥିଲା। ମାତ୍ର ଏହାକୁ ବିରୋଧ କରୁଥିବା ଲୋକେ ଗ୍ରୀନ ଏରିଆ ବୋଲି ଦାବି କରିଥିଲେ। ମାତ୍ର ଉକ୍ତ ସ୍ଥାନକୁ ସର୍ବଦା ଭବିଷ୍ୟତର ଯୋଜନା ପାଇଁ ଖାଲି ଦେଖା ଯାଇଥିଲା। ଭବିଷ୍ୟତର ଯୋଜନା ଅର୍ଥାତ ଟ୍ଵିନ୍ ଟାଓ୍ଵାର ହିଁ ଥିଲା। ଏଥିପାଇଁ ପାର୍କିଂ, ଗ୍ରୀନରୀ ସବୁ କିଛି ପ୍ରସ୍ତୁତ କରାଯାଇଥିଲା।

କଣ ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖାଯାଇଥିଲା ? ଏହା ଉପରେ ଆରୋରା କହିଛନ୍ତି,  ଏଥିପାଇଁ କୋଠା ମଧ୍ୟରେ ୬ ମିଟରର ଜାଗା ରହିବା ଉଚିତ୍ ଏବଂ ଟ୍ଵିନ୍ ଟାଓ୍ଵାରରେ ଏହା ପ୍ରାୟ ୯ ମିଟର ରଖା ଯାଇଥିଲା। କଣ ନକ୍ସାରେ ନିୟମକୁ ପାଳନ କରାଯାଇନଥିଲା ? ଏହା ଉପରେ ଆରୋରା କହିଛନ୍ତି, ସେ ଆପାର୍ଟମେଣ୍ଟ ଆକ୍ଟର ଉଲ୍ଲଂଘନ କରି ନାହାନ୍ତି। କାରଣ ୨୦୦୯ରେ ଯେଉଁ ସମୟରେ ନକ୍ସା ଉପରେ ମୋହର ମରାଗଲା ସେହି ସମୟରେ  ନୋଏଡା ପ୍ରାଧିକରଣ ନିୟମ ଲାଗୁ କରିନଥିଲା।

୯ ସେକେଣ୍ଡରେ ଭାଙ୍ଗି ଦିଆଗଲା ଟ୍ଵିନ୍ ଟାଓ୍ଵାର

ଦୀର୍ଘ ବର୍ଷର ଅପେକ୍ଷା ପରେ ଅଗଷ୍ଟ ୨୮ ରବିବାର ୨ଟା ୩୦ରେ ଟ୍ଵିନ୍ ଟାଓ୍ଵାରରେ ବିସ୍ଫୋରଣ କରାଯାଇଥିଲା। ଏଥିସହିତ ୧୦୩ ମିଟର ଏବଂ ୯୪ ମିଟରର ଦୁଇ ଟାଓ୍ଵାର ମାଟିରେ ମିଶିଗଲା। ଏହି  ସମୟରେ ପାହାଡର ଆକୃତିର ଧୂଳି ଉଠିବା ସହ ଆଖପାଖର ଉଚ୍ଚ ଅଟ୍ଟାଳିକାକୁ ଢାଙ୍କି ଦେଇଥିଲା। ଏହି ଧୂଳିକୁ କମ କରିବା ପାଇଁ ନୋଏଡା ପ୍ରଶାସନ ବିଶେଷ ବ୍ୟବସ୍ଥା କରିଥିଲା। ପ୍ରାୟ ୧୦୦ ଓ୍ଵାଟର ଟ୍ୟାଙ୍କର ଏବଂ ୩୦୦ ସଫେଇ କର୍ମଚାରୀ ଧୂଳିର ଆସ୍ତରଣକୁ ନିୟନ୍ତ୍ରଣ କରିଥିଲେ।ଏହା ପରେ ଯାଇ ଲୋକେ ଶାନ୍ତିରେ ନିଃଶ୍ଵାସ  ନେଇଥିଲେ।

ଟ୍ଵିନ୍ ଟାଓ୍ଵାର ଆଖପାଖରେ ରହୁଥିବା ଲୋକେ ପ୍ରାୟ ୭ଟାରୁ ନିଜ ଘରକୁ ଫେରିଥିଲେ। ଟାଓ୍ଵାରକୁ ୩୭୦୦ କିଲୋଗ୍ରାମ ବିସ୍ଫୋରକରେ ଉଡାଯାଇଥିଲା। ବିସ୍ଫୋରଣ ପୂର୍ବରୁ ପାଖାପାଖି ୭ ହଜାର ଲୋକଙ୍କୁ ଉକ୍ତ ସ୍ଥାନରୁ ସ୍ଥାନାନ୍ତର କରାଯାଇଥିଲା।

Related Articles

Back to top button