ଘାତକ ହେଉଛି ‘ମଙ୍କି ଫିଭର’ : ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତାରେ ସରକାର

ଦିନକୁ ଦିନ ଘାତକ ହେଉଛି ‘ମଙ୍କି ଫିଭର’ । ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହା ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଅନେକ ରାଜ୍ୟରେ ଏହି ମାମଲା ସାମ୍ନାକୁ ଆସିଛି । ବିଶେଷକରି କର୍ଣ୍ଣାଟକରେ ଏହି ରୋଗରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ଏବେ ସୁଦ୍ଧା ୬୪ଟି ‘ମଙ୍କି ଫିଭର’ ମାମଲା ସାମ୍ନାକୁ ଆସିଛି । ତେବେ ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ କର୍ଣ୍ଣାଟକ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି । ଏହି ଭାଇରାଲ୍ ସଂକ୍ରମଣର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତି ଆରମ୍ଭ କରି ବିଭିନ୍ନ ସ୍ତରରେ ସମୀକ୍ଷା କରୁଛନ୍ତି । ଯାହା ଜଣାପଡିଛି ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଏହି ରୋଗର ଲକ୍ଷଣ ହେଉଛି ଉଚ୍ଚ ତାପମାତ୍ରାରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଦୁର୍ବଳତା, ବାନ୍ତି ଏବଂ ଝାଡ଼ା । ରୋଗୀର ଏପରି ସ୍ଥିତିରେ ଲକ୍ଷଣ ଦେଖିଲେ କେବଳ ସତର୍କତା ଅବଲମ୍ବନ କରି ଏହି ରୋଗଠାରୁ ଦୂରେଇ ରହିପାରିବା ।

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ‘ମଙ୍କି ଫିଭର’ ଏକ ଭାଇରାଲ୍ ରୋଗ, ଯାହାକି କ୍ୟାସାନୁର ଫରେଷ୍ଟ ଡିଜିଜ୍‌ ଭାଇରସ୍‌ ଯୋଗୁଁ ବ୍ୟାପିଥାଏ । ପଶୁମାନଙ୍କଠାରୁ ମଣିଷଙ୍କୁ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ । ବିଶେଷକରି ଏହା ସେହି ଅଞ୍ଚଳରେ ଅଧିକ ବ୍ୟାପିଥାଏ ଯେଉଁଠାରେ ମାଙ୍କଡମାନଙ୍କର ସଂଖ୍ୟା ଅଧିକ । ଏହି ରୋଗ ୧୯୫୭ ମସିହାରେ କର୍ଣ୍ଣାଟକର ଘଞ୍ଚ ଜଙ୍ଗଲରେ ପ୍ରଥମେ ଏହା ଦେଖାଦେଇଥିଲା । ସେବେଠାରୁ ଦକ୍ଷିଣ ଏସିଆର ଅନେକ ଅଞ୍ଚଳରେ ଏହାର ସଂକ୍ରମଣ ଦେଖାଦେଇଛି । ବିଶେଷଜ୍ଞଙ୍କ କହିବାନୁସାରେ, ମାଙ୍କଡଙ୍କୁ କାମୁଡ଼ୁଥିବା କିଛି ଟିଙ୍କ ବା ପୋକ ଯଦି ମଣିଷକୁ କାମୁଡ଼ୁଥାଏ, ତେବେ ତାହା ମଣିଷମାନଙ୍କ କ୍ଷେତ୍ରରେ ସଂକ୍ରମିତ ହୁଏ ।

ଏହି ରୋଗ ଜନିତ ପ୍ରଥମ ମୃତ୍ୟୁ ମାମଲା ଜାନୁଆରୀ ୮ରେ ଶିବମୋଗା ଜିଲ୍ଲାର ହୋସାନଗରରେ ହୋଇଥିଲା । ଜଣେ ୧୮ ବର୍ଷର ଯୁବତୀ ଏହି ରୋଗରେ ପ୍ରାଣ ହରାଇଥିଲେ । ଦ୍ୱିତୀୟ ମୃତ୍ୟୁ ଉଡୁପି ଜିଲ୍ଲାର ମଣିପାଲରେ ହୋଇଥିଲା । ଏହି ରୋଗରେ ଆକ୍ରାନ୍ତ ହୋଇ ଜଣେ ୭୯ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା ।

କେଏଫଡି ମାମଲାରେ ବୃଦ୍ଧି ଏବଂ ଦୁଇ ଜଣଙ୍କ ମୃତ୍ୟୁ ପରେ ଏବେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେବା ପରେ ଏହି ରୋଗ ସହ ମୁକାବିଲା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

Related Articles

Back to top button