ଚୀନ ଓ ପାକିସ୍ତାନ ସହ ଭାରତର ଯୁଦ୍ଧ ସମ୍ଭାବନା ବଢୁଛି : ଆମେରିକୀୟ ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନ ଉସୁକାଇଲେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେବ ନାହିଁ ବୋଲି ଆମେରିକା ଗୁଇନ୍ଦା ବିଭାଗ ରିପୋର୍ଟରେ କୁହାଯାଇଛି । ବିଶେଷକରି ଭାରତ-ଚୀନ ମଧ୍ୟରେ ସଂଘର୍ଷ ହେଲେ ତାହା ଆମେରିକାର ହିତ ପ୍ରତି ବିପଦ ସୃଷ୍ଟି କରିବ ବୋଲି ରିପୋର୍ଟରେ କୁହାଯାଇଛି ।

ଆମେରିକା ଗୁଇନ୍ଦା ବିଭାଗର ବାର୍ଷିକ ବିପଦ ଆକଳନ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସାମରିକ ଶକ୍ତି ସହ ପାକିସ୍ତାନର ଉତ୍ତେଜନାର ଜବାବ ଦେବାର ସମ୍ଭାବନା ଅଧିକ ରହିଛି। ଏଥିସହିତ ଭାରତ ଓ ଚୀନ ମଧ୍ୟରେ ବଢୁଥିବା ସୀମା ବିବାଦ ମଧ୍ୟ ଦୁଇ ପରମାଣୁ ଶକ୍ତିଧର ଦେଶଙ୍କ ମଧ୍ୟରେ ସଶସ୍ତ୍ର ସଂଘର୍ଷର ଆଶଙ୍କା ବଢ଼ାଉଛି ।

ଆମେରିକୀୟ ଗୁଇନ୍ଦା କମ୍ୟୁନିଟିର ବାର୍ଷିକ ବିପଦ ଆକଳନ ରିପୋର୍ଟ ଅନୁଯାୟୀ, ଭାରତ ଓ ପାକିସ୍ତାନ ଏବଂ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ବଢ଼ିବାର ଆଶଙ୍କା ରହିଛି। ଏଥିସହିତ ଏହି ସବୁ ଦେଶ ମଧ୍ୟରେ ସଂଘର୍ଷ ଓ ଯୁଦ୍ଧ ହେବାର ସମ୍ଭାବନା ରହିଛି । ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଆମେରିକୀୟ କଂଗ୍ରେସରେ ଉପସ୍ଥାପନ କରାଯାଇଥିଲା ।

ରିପୋର୍ଟରେ କୁହାଯାଇଛି ଯେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ଆମେରିକୀୟ ସ୍ବାର୍ଥ ଓ ଆମେରିକାୟ ନାଗରିକଙ୍କ ପ୍ରତି ସିଧାସଳଖ ବିପଦ ହୋଇପାରେ ଓ ଆମେରିକାର ହସ୍ତକ୍ଷେପ ଆବଶ୍ୟକ କରିପାରେ । ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଲଗାତାର ହେଉଥିବା ଛୋଟ ଛୋଟ ସଂଘର୍ଷ ଦ୍ରୁତ ଗତିରେ ବଢିବାର ସମ୍ଭାବନା ରହିଛି ।

Related Articles

Back to top button