
୫୦୦ ଟଙ୍କା ଦେଇ ଜେଲରେ କଏଦୀ ଭାବେ ରହିପାରିବେ
ହଲଦିୱାନୀ: ଜ୍ୟୋତିଷ ଶାସ୍ତ୍ରରେ ବନ୍ଧନ ଯୋଗ ଥିବା ବ୍ୟକ୍ତି କିଛି ଦିନ ଜେଲରେ ରହି ଏଥିରୁ ମୁକ୍ତି ପାଇବା ପାଇଁ ଚାହିଁଥାଏ । ସେହିପରି ଜେଲ ଭିତରର ଦୁନିଆ କିପରି ତାହା ମଧ୍ୟ ଜାଣିବାକୁ ଅନେକଙ୍କ ମନରେ ଉତ୍କଣ୍ଠା ରହିଥାଏ । ଉତରାଖଣ୍ଡର ହଲଦୀୱାନୀ ଜେଲ ମାଧ୍ୟମରେ ଏବେ ସମସ୍ୟାର ସମାଧାନ ସୂତ୍ର ବାହାର କରାଯାଇଛି । ଗୋଟିଏ ଦିନ ପାଇଁ ୫୦୦ ଟଙ୍କା ଦେଇ ଜଣେ ଜେଲ ଭିତରେ ଅତିଥି କଏଦୀ ଭାବେ ରହିପାରିବ । ୧୯୦୩ରେ ନିର୍ମିତ କରାଯାଇଥିବା ଏହି ଜେଲରେ ଅତିଥିମାନଙ୍କ ଏ ଭଳି କେତେକ କୋଠରୀ ତିଆରି କରାଯାଉଛି ବୋଲି ଜେଲର ସତୀଶ ସୁଖୀଜା କହିଛନ୍ତି । ଯେଉଁଠାରେ ସେମାନେ ଜେଲ ଭିତରର ଦୁନିଆକୁ ଅତି ପାଖରୁ ଅନୁଭବ କରିପାରିବେ ।
କଏଦୀଙ୍କ ପରି ପୋଷାକଠାରୁ ଆରମ୍ଭ କରି ଖାଦ୍ୟ ପାନୀୟ ସବୁ କିଛି ନୀତି ନିୟମ ଅନୁସାରେ ଚାଲିବ । ସବୁଠାରୁ ମଜାର କଥା ଏଥିପ୍ରତି ପର୍ଯ୍ୟଟକମାନେ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ଗ୍ରହଦୋଷ ଭୋଗୁଥିବା ବ୍ୟକ୍ତିମାନେ ଜେଲରେ ସମୟ କାଟିବା ପାଇଁ ଚାହୁଁଥିଲେ ମଧ୍ୟ ଏଥିପାଇଁ ଅନେକ ଅନୁମତିକୁ ଅପେକ୍ଷା କରନ୍ତି । ଏ ବାବଦକୁ ହେଉଥିବା ଆୟକୁ ଜେଲର ବିକାଶ କାର୍ଯ୍ୟରେ ଲଗାଯିବ ।