୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ପିକେଟିଂ କରି ଚାଷୀ ବନ୍ଦ କଲେ ସରକାରୀ କାର୍ଯ୍ୟାଳୟ

ଦେବଗଡ: ଜିଲ୍ଲା କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବିରେ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳୁ ସଙ୍ଘର ସଭାପତି ସେମ ହେମ୍ରାମ ଓ ସମ୍ପାଦକ ଗୁଣନିଧି ବେହେରାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ୪୯ ନମ୍ବର ଜାତୀୟ ରାଜପଥର ବାଇପାସ ରାସ୍ତା ଉପରେ ବସିରହିବାରୁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହିଛି।

କୃଷକ ସଂଘର୍ଷ ସଙ୍ଘର ସଦସ୍ୟ ମାନେ ନୀଳାବେର୍ଣ୍ଣି ସାହି ଦେଇ ଯାଇଥିବା ଜାତୀୟ ରାଜପଥ ବାଇପାସ ଠାରେ ରାସ୍ତା ରୋକ କରିଥିବା ବେଳେ ପୂର୍ବାହ୍ନରେ ଆନ୍ଦୋଳନ କାରି ଚାଷୀ ମାନେ ପିକେଟିଂ କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବିଭିନ୍ନ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରିଥିବା ବେଳେ ଜିଲ୍ଲା ନ୍ୟାୟାଳୟ ପରିସର ସମ୍ମୁଖରେ ବ୍ୟାନର ପୋଷ୍ଟର ଧରି ନ୍ୟାୟାଳୟକୁ ଆସୁଥିବା ବିଚାରପତି ମାନଙ୍କୁ ଅନୁରୋଧ ପୂର୍ବକ ଦେବଗଡ଼ ବନ୍ଦ ପରିପେକ୍ଷୀରେ କାର୍ଯ୍ୟାଳୟକୁ ନଯିବାକୁ ଅନୁରୋଧ କରିବାରୁ ବିଚାରପତି ମାନେ ଫେରି ଯାଇଥିବା ଦେଖିବାକୁ ମିଳିଛି। ବନ୍ଦ ଡାକରା ଯୋଗୁଁ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି।

ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଜିଲ୍ଲାରେ ଜଳ ସେଚନର ବିଶେଷ ସୁବିଧା ନଥିବା ବେଳେ ବର୍ଷା ଜଳ ଉପରେ ନିର୍ଭର କାରି ଚାଷୀ ଫସଲ ଉତ୍ପାଦନ କରିଥାଏ। ମାତ୍ର ସ୍ୱଳ୍ପ ବୃଷ୍ଟିପାତ ଓ ରୋଗ ପୋକ ଯୋଗୁଁ ଫସଲ ନଷ୍ଟ କାରଣରୁ ଚାଷୀ ଫସଲ ବୀମା କରିଥିଲେ ମଧ୍ୟ ଗତ ୨୦-୨୧ ଓ ୨୧-୨୨ ଆର୍ଥିକ ବର୍ଷରେ କ୍ଷତି ସହିଥିବା ଚାଷୀଙ୍କୁ ଏ ଯାଏଁ ଫସଲ ବୀମା ମିଳି ପାରିନାହିଁ। ଏ ନେଇ ଚାଷୀକୁଳ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ଜନ ପ୍ରତିନିଧିଙ୍କ ଠାରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ ଫଳରେ ଚାଷୀ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛି।

 

Related Articles

Back to top button