ନବରଙ୍ଗପୁରରେ୧୪ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

14-students-are-sick-admitted-to-the-medical

ପାପଡ଼ାହାଣ୍ଡି: ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଦଳେଇଗୁଡ଼ା ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟର ୧୪ ଜଣ ଛାତ୍ରୀ ବୁଧବାର ଅସୁସ୍ଥ ହୋଇ ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ଜଣଙ୍କୁ ଥଣ୍ଡା, କାଶ ଓ ଜ୍ୱର ହୋଇଥିବା ବେଳେ ୨ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଛାତ୍ରୀମାନେ ନବମ ଓ ଦଶମ ଶ୍ରେଣୀର ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ଦଳେଇଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କୁ କ୍ଲାସ୍‌ ସରିବା ପରେ ଥଣ୍ଡା, କାଶ ସହ ଜ୍ୱର ଦେଖାଦେଇଥିଲା। ସେମାନେ ହେଲେ ପୁଷ୍ପା ମାଝି, ନିଳେନ୍ଦ୍ରୀ ମାଝି, ଗୋମତି ଭତରା, ଭଗବତୀ ସାନ୍ତା, ଭଗବତୀ ଭତରା, ରୁପାଲି ହରିଜନ, ଚନ୍ଦ୍ରକାନ୍ତି ଭତରା, ମଞ୍ଜୁଳାବତୀ ଭତରା, ହୀରାମଣି ପୂଜାରୀ, ମଙ୍ଗରି ମାଝି ଓ ଲଳିତା ମାଝି। ସେହିପରି ରିତା ଭତରା ଓ ରିତା ହରିଜନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଉଭୟ ଗୁରୁତର ଥିବା ବେଳେ ରିତା ଭତରାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ଦୁଇ ଦିନ ତଳେ ମେଡିକାଲ ଟିମ୍‌ ଯାଇ ସ୍କୁଲ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ। ଝାଡ଼ାବାନ୍ତିର କାରଣ ଜଣା ପଡ଼ିନାହିଁ। ଥଣ୍ଡା, କାଶରେ ଆକ୍ରାନ୍ତ ୧୨ ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଔଷଧ ଦେଇ ବିଦ୍ୟାଳୟକୁ ପଠାଯାଇଛି। ଛାତ୍ରୀମାନଙ୍କ ପରିବାରକୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି।

Related Articles

Back to top button