ଭାରୋତ୍ତୋଳନରେ କାଂସ୍ୟ ପଦକ ଜିତିଲେ ଲଭପ୍ରୀତ ସିଂହ, ରେକର୍ଡ ୩୫୫ କିଗ୍ରା ଓଜନ ଉଠାଇ ଇତିହାସ ରଚିଲେ ଲଭପ୍ରୀତ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଏକ କାଂସ୍ୟ ପଦକ ମିଳିଛି। ଭାରୋତ୍ତୋଳନକାରୀ ଲଭପ୍ରୀତ ସିଂହ ବୁଧବାର ୧୦୯ କିଲୋଗ୍ରାମ ବର୍ଗରେ ଦମଦାର ପ୍ରଦର୍ଶନ କରି ଦେଶ ନାମରେ କାଂସ୍ୟ ପଦକ ଜିତିଛନ୍ତି। ଏ ପର୍ଯ୍ୟନ୍ତ ଭାରତ ୧୪ଟି ପଦକ ଜିତି ସାରିଛି। ଏଥିରେ ୪ କାଂସ୍ୟ ପଦକ ରହିଛି। ଲଭପ୍ରୀତ ସିଂହ ପ୍ରତିଯୋଗିତାରେ ମୋଟ୍ ୩୫୫(୧୬୩+୧୯୨)କିଲୋଗ୍ରାମ ୧ଜନ ଉଠାଇ ନିଜର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି।

ଇତିହାସ ରଚିଲେ ଲଭପ୍ରୀତ

ଲଭପ୍ରୀତ ସିଂହ ସ୍ନାଚ୍ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରି ତିନୋଟି ପ୍ରୟାସରେ ସଫଳ ହୋଇଥିଲେ। ସେ ସ୍ନାଚ୍ ରାଉଣ୍ଡରେ କ୍ରମଶଃ ୧୫୭ କିଗ୍ରା, ୧୬୧ କିଗ୍ରା ଏବଂ ୧୬୩ କିଗ୍ରା ଓଜନ ଉଠାଇଥିଲେ। ଏହା ପରେ କ୍ଲିନ ଆଣ୍ଡ ଜର୍କ ରାଉଣ୍ଡରେ ମଧ୍ୟ ନିଜର ତିନୋଟି ଉଦ୍ୟମ ସଫଳ କରି କ୍ରମଶଃ ୧୮୫ କିଗ୍ରା, ୧୮୯ କିଗ୍ରା ଏବଂ ୧୯୨ କିଗ୍ରା ଓଜନ ଉଠାଇଛନ୍ତି। ଏହି ପରି ଲଭପ୍ରୀତ ମୋଟ୍ ୩୫୫ କିଲୋଗ୍ରାମ ଓଜନ ଉଠାଇ କାଂସ୍ୟ ପଦକ ଜିତିଛନ୍ତି।

ଲଭପ୍ରୀତ ସିଂହ ଯେବେ କ୍ଲିନ୍ ଆଣ୍ଡ ଜର୍କର ଶେଷ ରାଉଣ୍ଡ ପୂରା କଲେ ସେ ପର୍ଯ୍ୟନ୍ତ ସେ ଶୀର୍ଷରେ ଥିଲେ। ମାତ୍ର ପରେ ଅନ୍ୟ ଖେଳାଳି ତାଙ୍କୁ ପଛରେ ପକାଇ ଦେଇଥିଲେ। ଶୀର୍ଷରେ ଥିବା ଲଭପ୍ରୀତ ଖେଳର ଶେଷରେ ତିନି ନମ୍ବରରେ ରହି କାଂସ୍ୟ ପଦକ ଜିତିଛନ୍ତି। ଏହି ମୁକାବିଲାରେ କ୍ୟାମେରୁନର ଖେଳାଳି ୩୬୧ କିଗ୍ରା ଓଜନ ଉଠାଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ସାମୁଆର ଖେଳାଳି ୩୫୮ କିଗ୍ରା ଓଜନ ସହ ରୌପ୍ୟ ପଦକ ଜିତିଛନ୍ତି।

୨୪ ବର୍ଷୀୟ ଲଭପ୍ରୀତ ସିଂହଙ୍କଠୁ ଭାରତ ସ୍ଵର୍ଣ୍ଣ ପଦକ ଆାଶା ରଖିଥିଲା। ସେ ୧୦୯ କିଗ୍ରା ବର୍ଗରେ ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିଅନଶିପରେ ରୌପ୍ୟ ପଦକ ଜିତିଥିଲେ। ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ପଞ୍ଜାବର ଅମୃତସର ନିବାସୀ ଲଭପ୍ରୀତ ଏସୀୟ ଜୁନିୟର ଚାମ୍ପିଅନସିପରେ ମଧ୍ୟ କାଂସ୍ୟ ପଦକ ଜିତିଥିଲେ।  ଭାରତ ଏ ପର୍ଯ୍ୟନ୍ତ ମୋଟ୍ ୧୪ଟି ପଦକ ଜିତି ସାରିଛି। କେଭଳ ଭାରୋତ୍ତୋଳନରୁ ଭାରତ ୮ଟି ପଦକ ଜିତିଛି। ଏଥିରେ ତିନୋଟି ସ୍ଵର୍ଣ୍ଣପଦକ ରହିଛି।

Related Articles

Back to top button