ଖୁବ ଶୀଘ୍ର ଘୋଷଣା ହେବ ଗୁଜରାଟ ନିର୍ବାଚନର ତାରିଖ, ଡିସେମ୍ବର ୪ ସୁଦ୍ଧା ଭୋଟିଂ ସମ୍ଭାବନା

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନର ଶୀଘ୍ର ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ। ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି, ଯାହା ଡିସେମ୍ବର ୪ରେ ସରିବ। ଆୟୋଗଙ୍କ ସୂତ୍ର ଅନୁଯାୟୀ, ଭୋଟ୍ ଗଣତି ହିମାଚଳ ପ୍ରଦେଶ ସହିତ ହୋଇପାରେ। ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଆସନ୍ତାବର୍ଷ ଫେବୃଆରୀ ୧୮ରେ ସଂପନ୍ନ ହେଉଛି।

ଏଠାରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସର୍ବଦା ମୁକାବିଲା ହୋଇ ଆସିଛି। କିନ୍ତୁ ତୃତୀୟ ଦଳ ଭାବେ ମଇଦାନରେ ଆବିର୍ଭାବ ହୋଇଛି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ଵାଧୀନ ଆମ୍ ଆଦମୀ ପାର୍ଟି। ତେଣୁ ତ୍ରିକୋଣୀ ମୁକାବିଲା ହେବାକୁ ଯାଉଛି। ଗୁଜରାଟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଗୃହ ରାଜ୍ୟ। ଗୁଜରାଟ ବିଜେପିର ଗଡ ଭାବେ ରହି ଆସିଛି। ତେଣୁ ନିଜ ଏଥର ବି ନିଜ ଗଡ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରିବ ବିଜେପି। ଅନ୍ୟପକ୍ଷେ କଡା ଟକ୍କର ଦେବାକୁ ଅଣ୍ଟା ଭିଡିଛି ଆପ୍ ଏବଂ କଂଗ୍ରେସ।

ହିମାଚଳରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ସିଧା ମୁକାବିଲା ହେବାକୁ ଯାଉଛି। ତୃତୀୟ ଦଳ ଭାବେ ଆପ୍ ମଇଦାନରେ ରହିଛି। ତେଣୁ ରାଜ୍ୟରେ ତ୍ରିକୋଣୀୟ ମକାବିଲା ହୋଇପାରେ। ଗତ ପ୍ରାୟ ୩୭ ବର୍ଷରେ ହିମାଚଳରେ ପ୍ରତି ପାଞ୍ଚ ବର୍ଷରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କ୍ଷମତା ପରିବର୍ତ୍ତନ ହୋଇ ଚାଲିଛି। କେତେବେଳେ ବିଜେପି ତ ଆଉ କେତେବେଳେ କଂଗ୍ରେସ କ୍ଷମତାସୀନ ହୋଇଛି। ମାତ୍ର ଏଥର ବିଜେପି ସ୍ମାନରେ ଏହି ଟ୍ରେଣ୍ଡକୁ ସମାପ୍ତ କରିବାର ଚ୍ୟାଲେଞ୍ଜ ରହିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜେପି ନଡ୍ଡା ମୋର୍ଚ୍ଚା ସମ୍ଭାଳିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଗୁଜୁରାଟ ଓ ହିମାଚଳ ପ୍ରଦେଶ, ଏହି ଦୁଇ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବାର ଥିଲା। କିନ୍ତୁ ନିର୍ବାଚନ କମିଶନ କେବଳ ହିମାଚଳ ପ୍ରଦେଶର ନିର୍ବାଚନ ତାରିଖ ଘୋଷଣା କରିଥିଲେ। ହେଲେ ଗୁଜୁରାଟ ନିର୍ବାଚନ ତାରିଖ ବିଷୟରେ କୌଣସି ସୂଚନା ଦେଇ ନନଥିଲେ। ଏହାପରେ ନିର୍ବାଚନ କମିଶନଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି।

କାରଣ ଏହି ଦୁଇଟି ରାଜ୍ୟର ବିଧାସନଭା କାର୍ଯ୍ୟକାଳ ୬ ମାସ ଭିତରେ ସରିବାକୁ ଯାଉଛି। ଏଭଳି କ୍ଷେତ୍ରରେ ଦୁଇଟି ରାଜ୍ୟର ନିର୍ବାଚନ ଓ ଭୋଟ ଗଣତି ସମାନ ତାରିଖରେ ଘୋଷଣା ହେବା କଥା। ହେଲେ ଆଜି ଏହାର ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଗୁଜୁରାଟ ନିର୍ବାଚନ ଘୋଷଣା ନ ହୋଇ କୌଣସି ନିୟମ ଭଙ୍ଗ ହୋଇ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ସୂଚନା ଦେଇଛନ୍ତି।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ କୁମାର କହିଛନ୍ତି “ ଦୁଇଟି ରାଜ୍ୟର ବିଧାନସଭା କାର‌୍ୟ୍ୟକାଳ ଶେଷ ହେବାର ୪୦ ଦିନର ବ୍ୟବଧାନ ରହିଛି। ନିୟମ ଅନୁସାରେ, ୩୦ ଦିନ ବ୍ୟବଧାନ ରହିବା ଦରକାର। ଯାହା ଫଳରେ ଗୋଟିଏ ରାଜ୍ୟର ନିର୍ବାଚନ ଅନ୍ୟ ରାଜ୍ୟ ଉପରେ ପ୍ରଭାବ ପକାଇବା ନାହିଁ।”

ଇସି କହିଥିଲେ “ହିମାଚଳ ପ୍ରଦେଶରେ ଆଗୁଆ ନିର୍ବାଚନ ଘୋଷଣା କରିବାର ଅନେକ କାରଣ ରହିଛି। ଯେମିତିକି ପାଣିପାଗ। ରାଜ୍ୟରେ ବରଫପାତ ହେବା ପୂର୍ବରୁ ଆମେ ନିର୍ବାଚନ ପ୍ରକ୍ରିୟା ସାରିଦେବାକୁ ଚାହୁଁଛୁ।” ତେବେ ଏଥିପାଇଁ ରାଜ୍ୟର ଅନେକ ବିଭିନ୍ନ ଅଧିକାରୀଙ୍କର ପରାମର୍ଶ ଲୋଡ଼ାଯାଇଛି ବୋଲି ଇସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଶୀଘ୍ର ତାରିଖ ଘୋଷଣା ହେବ ବୋଲି ଜଣା ପଡିଛି।

Related Articles

Back to top button