ନିଯୁକ୍ତି ପାଇଲେ ୩ ନୂଆ ଏସ୍‌ପି

ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥିରେ ମେ ୧୩ରୁ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ ଗ୍ରହଣ କରାଯିବ । ତେବେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ନିର୍ବାଚନ ଆୟୋଗ କିଛି ଜଣ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଓ ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀଙ୍କୁ ନିର୍ବାଚନ କାମ ନଥିବା ସ୍ଥାନକୁ ବଦଳି ନିର୍ଦ୍ଦେଶ ଦେଇଥିଲେ।

ଏହି ବଦଳି ତାଲିକାରେ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶୀଷ କୁମାର ସିଂଙ୍କ ସମେତ କଟକ ଡିସିପି କନୱର ବିଶାଳ ସିଂ, ରାଉରକେଲା ପୁଲିସ ଏସପି ମିତ୍ରଭାନୁ ମହାପାତ୍ର, ଖୋର୍ଦ୍ଧା ଏସପି ଯୁଗଳ କିଶୋର ବାନୋଥ, ବ୍ରହ୍ମପୁର ପୁଲିସ ଏସପି ସର୍ଭଣା ବିବେକ ଏମ୍ , ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ନାମ ରହିଥିଲା। ଅନ୍ୟପଟେ ଏହି ଆଇପିଏସଙ୍କ ବ୍ୟତୀତ କଟକ ଜିଲ୍ଲାପାଳ ଭିନିତ୍ ଭରଦ୍ୱାଜ ଏବଂ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରିଙ୍କୁ ମଧ୍ୟ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ସେମାନଙ୍କ ବିଶ୍ୱସନୀୟତା ଉପରେ ସନ୍ଦେହ ବ୍ୟକ୍ତ କରି ନିର୍ବାଚନ କମିଶନ ସେମାନଙ୍କୁ ତତ୍କାଳ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ବିରତ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଆଉ ଏହି ନିର୍ଦ୍ଦେଶ ଅନୁଯାୟୀ, ଖାଲି ଥିବା ପଦବୀ ମଧ୍ୟରୁ ପ୍ରକାଶ ଆର୍‌ଙ୍କୁ କଟକ ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲାର ଏସପି ଭାବେ ନିଯୁକ୍ତି ମିଳିଛି। ଏଥିସହ ଉମାଶଙ୍କର ଦାଶଙ୍କୁ ଅନୁଗୁଳ ଏସପି ଦାୟିତ୍ୱ ମିଳିଛି। ଆଉ ଅବଶିଷ୍ଟ ୨ ଜିଲ୍ଲାପାଳ, ୩ ଏସ୍‌ପି ଓ କେନ୍ଦ୍ରାଞ୍ଚଳ ରେଞ୍ଜ ପୁଲିସ୍ ଆଇଜି ପଦବୀ ଫାଙ୍କା ଥିବା ବେଳେ ଉକ୍ତ ପଦବୀରେ ଖୁବ୍‌ ଶୀଘ୍ର ନିଯୁକ୍ତି ହେବ ବୋଲି ଜଣାଯାଇଛି।

Related Articles

Back to top button