ରାଜ୍ୟରେ ଆଉ ୪ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବ, ୧୪୭ଟି ହସ୍ପିଟାଲକୁ ରୂପାନ୍ତରୀକରଣ କରାଯିବ
ଭୁବନେଶ୍ୱର: ‘ଆମ ହସ୍ପିଟାଲ’ ଯୋଜନା ଅଧୀନରେ ରାଜ୍ୟର ୧୪୭ଟି ହସ୍ପିଟାଲକୁ ରୂପାନ୍ତରୀକରଣ କରାଯିବ। ଏଥିପାଇଁ ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ବିଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ୭ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି। କଳାହାଣ୍ଡି, ତାଳଚେର, ଯାଜପୁର ଓ କନ୍ଧମାଳରେ ଆଉ ୪ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଛି। ଏ ନେଇ ମଙ୍ଗଳବାର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି। ଲୋକସେବା ଭବନରେ ବରିଷ୍ଠ ଅଧିକାରୀ ସମ୍ମିଳନୀର ପୂର୍ବାହ୍ନ ଅଧିବେଶନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ବନ୍ଧିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ‘ଆମ ହସ୍ପିଟାଲ୍’ ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କଓ୍ବୋଇ) ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା। ସ୍ବାସ୍ଥ୍ୟ ସଚିବ କହିଲେ, ଅନୁଗୋଳ, ବଡ଼ବିଲ, ଝାରସୁଗୁଡା ଏବଂ ଭଦ୍ରକରେ ମେଡିକାଲ କଲେଜ ବଦଳରେ ପିପିପି ମୋଡ୍ରେ ସ୍ପେଶିଆଲିଟି ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ୨୦୨୩ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଝାରସୁଗୁଡ଼ାଠାରେ ସ୍ବତନ୍ତ୍ର କ୍ୟାନ୍ସର ଓ ହୃଦରୋଗ ହସ୍ପିଟାଲ ପିପିପି ମୋଡ୍ରେ ଆରମ୍ଭ କରାଯିବ ବୋଲି ସଚିବ କହିଛନ୍ତି।
ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତରୀ ପଦବୀକୁ ନେଇ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଲେ, ୩ ହଜାର ଡାକ୍ତର ପଦବୀ ପାଇଁ ଓପିଏସ୍ସି ଅଧୀନରେ ଚୟନ କରାଯାଇଛି। ସେପ୍ଟେମ୍ବର ସୁଦ୍ଧା ନିଯୁକ୍ତି ପତ୍ର ଦିଆଯିବ। ଏହାପରେ ଆଉ ୫ ହଜାର ପଦବୀ ପାଇଁ ଓପିଏସ୍ସି ଅଧୀନରେ ଚୟନ କରାଯାଇ ନିଯୁକ୍ତି ଦିଆଯିବାକୁ ଯୋଜନା କରାଯାଇଛି। ସେହିପରି ବିଏସ୍କଓ୍ବୋଇକୁ ସମ୍ପ୍ରସାରଣ କରାଯାଉଛି। ରାଜ୍ୟ ବାହାରେ ୫୦୦ ହସ୍ପିଟାଲକୁ ବିଏସ୍କଓ୍ବୋଇରେ ସାମିଲ କରାଯାଇଛି। ପ୍ରତ୍ୟେକ ଦିନ ନୂଆ ନୂଆ ହସ୍ପିଟାଲକୁ ସାମିଲ କରିବାକୁ କାର୍ଯ୍ୟ ଜାରି ରହିଛି। ବିଏସ୍କଓ୍ବୋଇରେ ଏବେଯାଏ ରାଜ୍ୟରେ ୯୬.୫ ଲକ୍ଷ ପରିବାରରୁ ୯୭ ପ୍ରତିଶତ ଲୋକେ ଉପକୃତ ହେଉଛନ୍ତି ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ସଚିବଙ୍କ ସମେତ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବଲାଙ୍ଗୀର ଜିଲାପାଳ ଚଞ୍ଚଲ ରଣା ଏବଂ ଦେବଗଡ଼ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।