ହାଜତ ମୃତ୍ୟୁରେ ଗୁଜରାଟ ୧ ନମ୍ବର

ନୂଆଦିଲ୍ଲୀ: ହାଜତ ମୃତ୍ୟୁରେ ଗୁଜରାଟ ପୁଣି ଥରେ ୧ ନମ୍ବର ସ୍ଥାନ ଅଧିକାର କରିଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୮୦ ଜଣ ବନ୍ଦୀଙ୍କ ହାଜତ ମୃତ୍ୟୁ ଘଟିଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାର୍ଲାମେଣ୍ଟକୁ ଅବଗତ କରାଯାଇଛି। ରାଜ୍ୟ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦେଇଥିବା ସୂଚନାନୁସାରେ ୫ ବର୍ଷରେ ଗୁଜରାଟରେ ୮୦ ଜଣଙ୍କ ହାଜତ ମୃତ୍ୟୁ ଘଟିଥିବାବେଳେ ମହାରାଷ୍ଟ୍ର ୭୬, ଉତ୍ତର ପ୍ରଦେଶ ୪୧, ତାମିଲନାଡ଼ୁ ୪୦ ଓ ବିହାରରେ ୩୮ କଏଦୀ ପୋଲିସ କିମ୍ବା ବିଚାରବିଭାଗୀୟ କଷ୍ଟଡିରେ ପ୍ରାଣ ହରାଇଛନ୍ତି।
ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ସୋମବାର ରାଜ୍ୟ ସଭାରେ ୨୦୧୭ ଏପ୍ରିଲ ୧ରୁ ୨୦୨୨ ମାର୍ଚ୍ଚ ୩୧ ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଘଟିଥିବା ହାଜତ ମୃତ୍ୟୁ ସମ୍ପର୍କିତ ତଥ୍ୟ ରଖିଥିଲେ। ତଦନୁଯାୟୀ ୨୦୧୭-୧୮ରେ ୧୪୬, ୨୦୧୮-୧୯ରେ ୧୩୬, ୨୦୧୯-୨୦ରେ ୧୧୨, ୨୦୨୦-୨୧ରେ ୧୦୦ ଓ ୨୦୨୧-୨୨ରେ ୧୭୫ ଜଣଙ୍କ ହାଜତ ଭିତରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ଗୁଜରାଟୀ। ଗୁଜରାଟରେ ୨୦୧୭-୧୮ରେ ୧୪, ୨୦୧୮-୧୯ରେ ୧୩, ୨୦୧୯-୨୦ରେ ୧୨, ୨୦୨୦-୨୧ରେ ୧୭ ଓ ୨୦୨୧-୨୨ରେ ୨୪ ଜଣ କଏଦୀ ହାଜତ ଭିତରେ ପ୍ରାଣ ହରାଇଥିଲେ। ସେହିପରି ୯ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ସର୍ବାଧିକ ୨୯ ହାଜତ ମୃତ୍ୟୁ ଦିଲ୍ଲୀରେ ଘଟିଥିବାବେଳେ ଜମ୍ମୁ-କଶ୍ମୀରରେ ଏହି ସଂଖ୍ୟା ହେଉଛି ୪। ଜାତୀୟ ମାନବ ଅଧିକାର ଆୟୋଗ (ଏନ୍‌ସିଆର୍‌ବି) ପ୍ରଦତ୍ତ ତଥ୍ୟ ଆଧାରରେ କେନ୍ଦ୍ରମନ୍ତ୍ରୀ ରାଏ ଆହୁରି କହିଥିଲେ, ପୋଲିସ ହାଜତରେ ମୃତ୍ୟୁ କ୍ଷେତ୍ରରେ କମିଶନ ୨୦୧ ମାମଲାରେ ମୃତକଙ୍କ ପରିବାରକୁ ମୋଟ ୫,୮୦,୭୪,୯୯୮ ଟଙ୍କାର ସହାୟତା ପାଇଁ ସୁପାରିସ କରିଛନ୍ତି। କେବଳ ଗୋଟିଏ ମାମଲାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦିଆଯାଇଛି।
ଏହି କ୍ଷେତ୍ରରେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଛି, ଯେଉଁଠି ୨୦୧୭-୧୮ରେ ୧୯ ହାଜତ ମୃତ୍ୟୁ ଘଟିଥିଲା। ୨୦୧୮-୧୯ରେ ୧୧, ୨୦୧୯-୨୦ରେ ୩, ୨୦୨୦-୨୧ରେ ୧୩, ୨୦୨୧-୨୨ରେ ୩୦ ଜଣ କଏଦୀଙ୍କ ଜୀବନ ହାଜତରେ ଯାଇଥିଲା। ଉତ୍ତର ପ୍ରଦେଶ କଥା ଦେଖିଲେ ୨୦୧୭-୧୮ରେ ୧୦, ୨୦୧୮-୧୯ରେ ୧୨, ୨୦୧୯-୨୦ରେ ୩, ୨୦୨୦-୨୧ରେ ୮, ୨୦୨୧-୨୨ରେ ୮ ଜଣଙ୍କ ହାଜତ ମୃତ୍ୟୁ ଘଟିଥିଲା। ଚତୁର୍ଥ ସ୍ଥାନରେ ଥିବା ତାମିଲନାଡୁରେ ୨୦୧୭-୧୮ରେ ୧୧ ଜଣଙ୍କ ହାଜତ ମୃତ୍ୟୁ ଘଟିଥିଲା। ୨୦୧୮-୧୯ରେ ୧୧, ୨୦୧୯-୨୦ରେ ୧୨, ୨୦୨୦-୨୧ରେ ୨, ୨୦୨୧-୨୨ରେ ୪ ହାଜତ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ଆସିଥିଲା। ସେହିପରି ବିହାରରେ ୨୦୧୭-୧୮ରେ ୭, ୨୦୧୮-୧୯ ଏବଂ ୨୦୧୯-୨୦ରେ ୫ ଜଣ ଲେଖାଏ, ୨୦୨୦-୨୧ରେ ୩ ଓ ୨୦୨୧-୨୨ରେ ୧୮ କଏଦୀ ହାଜତରେ ପ୍ରାଣ ହରାଇଥିଲେ। ହାଜତ ମୃତ୍ୟୁ କ୍ଷେତ୍ରରେ ଓଡ଼ିଶା ଚତୁର୍ଦ୍ଦଶ ସ୍ଥାନରେ ରହିଛି। ଓଡ଼ିଶାର ଥାନା ଓ ଜେଲ ହାଜତରେ ଗତ ୫ ବର୍ଷ ମଧ୍ୟରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୭-୧୮ ଏବଂ ୨୦୧୮-୧୯ରେ ଏହି ସଂଖ୍ୟା ୪ ଲେଖାଏ ଥିବାବେଳେ ୨୦୧୯-୨୦ରେ ୫, ୨୦୨୦-୨୧ରେ ୪, ୨୦୨୧-୨୨ରେ ୨ ରହିଥିଲା ବୋଲି ନିତ୍ୟାନନ୍ଦ ସୂଚନା ଦେଇଥିଲେ।
ସିକିମ ଓ ଗୋଆରେ ୨୦୧୭ରୁ ୨୦୨୦ ମଧ୍ୟରେ ଗୋଟିଏ ହେଲେ ହାଜତ ମୃତ୍ୟୁ ଘଟି ନ ଥିବାବେଳେ ୨୦୨୧-୨୨ରେ ଜଣେ ପ୍ରାଣ ହରାଇଥିବା ରେକର୍ଡ କରାଯାଇଛି। ସମ୍ବିଧାନର ସପ୍ତମ ପରିଚ୍ଛେଦ ଅନୁସାରେ ପୋଲିସ ଓ ଆଇନଶୃଙ୍ଖଳା ରାଜ୍ୟଗୁଡ଼ିକର ବିଷୟ। ମାନବାଧିକାର ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍ୱ। ତେବେ କେନ୍ଦ୍ର ସରକାର ସମୟାନୁଯାୟୀ ନିର୍ଦ୍ଦେଶନାମା ଜାରି କରିଥାଆନ୍ତି। ମାନବ ଅଧିକାର ସୁରକ୍ଷା (ପିଏଚ୍‌ଆର୍‌) ଆଇନ, ୧୯୯୩ ମଧ୍ୟ ପ୍ରଣୟନ ଦ୍ୱାରା ଏନ୍‌ଏଚ୍‌ଆର୍‌ସି ଏବଂ ରାଜ୍ୟ ମାନବ ଅଧିକାର ଆୟୋଗ (ଏସ୍‌ଏଚ୍‌ଆର୍‌ସି) ମଧ୍ୟ ପ୍ରତିଷ୍ଠା କରାଯାଇଛି। ସରକାରୀ କର୍ମଚାରୀମାନେ ମାନବାଧିକାର ଉଲ୍ଲଂଘନ କଲେ ଏନ୍‌ଏଚ୍‌ଆର୍‌ସି ଏବଂ ଏସ୍‌ଏଚ୍‌ଆର୍‌ସି ତା’ର ତଦନ୍ତ କରାଇଥାଆନ୍ତି।

Related Articles

Back to top button