କଳାହାଣ୍ଡିରେ ଡାଇରିଆ ଆତଙ୍କ, ସପ୍ତାହକରେ ୪ ଜଣଙ୍କର ମୃତ୍ୟୁ

ଭବାନୀପାଟଣା: ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଝାଡାବାନ୍ତି ବ୍ୟାପିବା ପରେ ଏବେ କଳାହାଣ୍ଡିରେ ଝାଡାବାନ୍ତି ବ୍ୟାପିଛି। ସପ୍ତାହକ ମଧ୍ୟରେ ୪ ଜଣଙ୍କର ଡାଇରିଆରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲାର ବିରିକୋଟ, ଗୁଣପୁର, ବଡ ଛତରଙ୍ଗା ପଞ୍ଚାୟତ ଅଧୀନରେ ଥିବା ଗାଁ ଗୁଡ଼ିକ ଗତ କିଛି ଦିନ ହେବ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି।

ବିରିକୋଟ ପଞ୍ଚାୟତ ଅନ୍ତର୍ଗତ ସେମେଲପଦର ଗ୍ରାମର ଦମୁ ମାଝୀ ଗତ ସେପ୍ଟେମ୍ବର ୧ ତାରିଖରେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ୬୦ ବର୍ଷୀୟ ଏହି ଚାଷୀ ଜଣକ କିଛି ଦିନ ହେବ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଚିକିତ୍ସା ପାଇଁ ଯାଇ ନ ଥିଲେ। ଗାଁର ଅନ୍ୟ ଜଣେ ମହିଳା ସୁନାଙ୍ଗ ଦେଇ ମଧ୍ୟ ଶନିବାର ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

ଅଧିକାଂଶ ଗ୍ରାମବାସୀ ଡାଇରିଆରେ ଆକ୍ରାନ୍ତ ହେଉଥିବା ଦେଖି ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଟିମ୍ ଗାଁକୁ ଯାଇ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏକ କ୍ୟାମ୍ପ କରିଥିଲେ। ପ୍ରାୟ ୧୬ ଜଣ ଗ୍ରାମବାସୀଙ୍କର ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଦେଖି ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହି ଅବସରରେ ଡାକ୍ତରମାନେ ଗ୍ରାମବାସୀଙ୍କୁ ମାଗଣା ଚିକିତ୍ସା ସହିତ ଔଷଧ ଦେଇଥିଲେ।

ଗାଁ ନିକଟରେ ଥିବା ଝରଣାରୁ ଦୂଷିତ ପାଣି ପିଇବା ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଡାଇରିଆ ବ୍ୟାପିଥିବା କୁହାଯାଉଛି। ଫୁଟା ପାଣି ପିଇବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଟିମ୍ ନିୟୋଜିତ ହୋଇଛି।

ସେପଟେ ଗୁଣପୁର ପଞ୍ଚାୟତ ଅନ୍ତର୍ଗତ ପୁସ୍ତିଗୁଡା ଗ୍ରାମର ଜୟ ମାଝୀ ଓ ବଡ ଛତରଙ୍ଗା ପଞ୍ଚାୟତ ଅନ୍ତର୍ଗତ ଚମ୍ପାଚୁଆ ଗ୍ରାମର ୭୦ ବର୍ଷ ବୟସ୍କା ଆସେମତି ନାୟକଙ୍କ ୪ ଦିନ ତଳେ ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ ସପ୍ତାହରେ କୋରାପୁଟ ଜିଲ୍ଲାକେ ୫୦ରୁ ଅଧିକ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ। ସେହିପରି ଏହା ପୂର୍ବରୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଏହି ରୋଗରେ ୧୦ ଜଣଙ୍କ ଜୀବନ ନେଇଥିଲା।

Related Articles

Back to top button