ଦିନକୁ ଦିନ ବଢୁଛି ଖରା : ହସ୍ପିଟାଲରେ ସମ୍ଭାବ୍ୟ ଅଗ୍ନିକାଣ୍ଡ ରୋକିବାକୁ ମାର୍ଗଦର୍ଶିକା

ପୁଣି ଉପରମୁହାଁ ପାରଦ । ଦିନକୁ ଦିନ ବଢୁଛି ଖରା । ଶନିବାର ୩୮ ଡିଗ୍ରୀ ତାପମାତ୍ରା ସହ ସବୁଠୁ ତତଲା ସହର ପାଲଟିଥିଲା ବଲାଙ୍ଗିର । ୩୭ ଡିଗ୍ରୀ ଉପରେ ରହିଥିଲା ୫ଟି ସହରର ତାପମାତ୍ରା । ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।ଆଗାମୀ ୪ ଦିନ ମଧ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବା ସହ ୪୦ ଡିଗ୍ରୀ ପାରି କରିବାର ଆଶଙ୍କା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି ।

ତାପମାତ୍ରା ବଢୁଥିବାରୁ ହସ୍ପିଟାଲରେ ଅଗ୍ନିକାଣ୍ଡ ଆଶଙ୍କା ମଧ୍ୟ ବଢିଯାଏ । ଏହାକୁ ରୋକିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏକ ମିଳିତ ମାର୍ଗଦର୍ଶିକା ଜାରି ହୋଇଛି । ହସ୍ପିଟାଲରେ ସମ୍ଭାବ୍ୟ ଅଗ୍ନିକାଣ୍ଡ ରୋକିବା ଦିଗରେ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାକୁ ମାର୍ଗଦର୍ଶିକାରେ ଗୁରୁତ୍ବାରୋପ କରାଯାଇଛି ।

ବିଦ୍ୟୁତ ଲୋଡ୍ ଅଡିଟ:ପର୍ଯ୍ୟାପ୍ତ ବୈଦ୍ୟୁତିକ ଲୋଡ୍ କ୍ଷମତା ସମସ୍ୟାର ସମାଧାନ କରିବା ଲାଗି କୁହାଯାଇଛି । ବିଶେଷକରି ନୂଆ ଯନ୍ତ୍ରପାତି ଯୋଡିବା କିମ୍ବା କୌଣସି ସ୍ଥାନକୁ ଆଇସିୟୁରେ ପରିଣତ କରିବା ସମୟରେ ହସ୍ପିଟାଲଗୁଡ଼ିକ ନିୟମିତ ଭାବେ ଇଲେକ୍ଟ୍ରିକାଲ୍‌ ଲୋଡ୍‌ଅଡିଟ୍ କରିବା ଉଚିତ୍ । ଚିହ୍ନଟ ହୋଇଥିବା କୌଣସି ଅସଙ୍ଗତିକୁ ତୁରନ୍ତ ସୁଧାରିବା ଦରକାର ବୋଲି ମଧ୍ୟ ପରାମର୍ଶ ଦିଆଯାଇଛି ।

ଅଗ୍ନି ଏନଓସି ଅନୁପାଳନ:ଡାକ୍ତରଖାନା ଗୁଡିକ ନିୟାମକ ଆବଶ୍ୟକତାକୁ କଡ଼ାକଡ଼ି ଭାବେ ପାଳନ କରିବା ଆବଶ୍ୟକ । ନିଜ ନିଜ ରାଜ୍ୟ ଅଗ୍ନିଶମ ବିଭାଗଠାରୁ ବୈଧ ଅଗ୍ନି ଆପତ୍ତି ବିହୀନ ପ୍ରମାଣପତ୍ର (ଏନଓସି) ହାସଲ କରିବା ଆବଶ୍ୟକ । ଅଗ୍ନି ନିରାପତ୍ତା ନିୟମ ଗ୍ରହଣ କରିବା ପୂର୍ବରୁ ନିର୍ମିତ ପୁରୁଣା କୋଠାଗୁଡ଼ିକରେ ଇଲେକ୍ଟ୍ରିକାଲ ଲୋଡ୍‌ର ପୁନଃକ୍ୟାଲିବ୍ରେସନକୁ ପ୍ରାଥମିକତା ଦେବା ଉଚିତ । ଅଗ୍ନି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଡାକ୍ତରଖାନାଗୁଡିକ ଦ୍ୱାରା ନିଆଯିବାକୁ ଥିବା ପଦକ୍ଷେପ ଏବଂ ସେଗୁଡ଼ିକର ରୂପରେଖ ପ୍ରଦାନ କରି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଏକ ବିସ୍ତୃତ ନିର୍ଦ୍ଦେଶନାମା ପ୍ରଦାନ କରାଯାଇଛି । ଡାକ୍ତରଖାନା ଏବଂ ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ ଘଟଣାକୁ ରୋକିବା ପାଇଁ ନିମ୍ନଲିଖିତ ନିର୍ଦ୍ଦେଶାବଳୀ ପାଳନ କରାଯିବା ଆବଶ୍ୟକ ।

ଅଗ୍ନି ନିର୍ବାପକ ଯନ୍ତ୍ର, ହାଇଡ୍ରେଣ୍ଟ ଏବଂ ଆଲାର୍ମ ଭଳି ଅଗ୍ନି ନିର୍ବାପକ ଯନ୍ତ୍ରପାତିର ନିୟମିତ ଯାଞ୍ଚ କରିବା ଆବଶ୍ୟକ । ଅଗ୍ନି ନିର୍ବାପକ ଯନ୍ତ୍ରର ଶେଷ ତାରିଖ ଯାଞ୍ଚ କରିବା, ହାଇଡ୍ରେଣ୍ଟ ଗୁଡିକର ଉପଲବ୍ଧତା ଏବଂ ପର୍ଯ୍ୟାପ୍ତ ଜଳ ଚାପ ଥିବା ସୁନିଶ୍ଚିତ କରିବା ଆବଶ୍ୟକ । ଏହାସହ ଅଗ୍ନି ଆଲାର୍ମ ଗୁଡିକ କାର୍ଯ୍ୟକ୍ଷମ କରିବା ଆବଶ୍ୟକ ।

Related Articles

Back to top button