ବିପଦ ସଙ୍କେତ ଉପରେ ବଂଶଧାରା, ବନ୍ୟା ଆଶଙ୍କା

ପାରଳାଖେମୁଣ୍ଡି: ଗଜପତି ଜିଲା କାଶୀନାଗରଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀ ଜଳ। ରବିବାର ରାତି ୯ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୫୪.୯୧ ମି.ରେ ପହଞ୍ଚତ୍ଛି। ଏଠାରେ ବିପଦ ସଂକେତ ୫୫.୭୫ମି. ଥିବାବେଳେ ଉପର ମୁଣ୍ଡରେ ବର୍ଷାର ପରିମାଣ ଅଧିକ ହେଲେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଜଳସ୍ତରକୁ ନଜରରେ ରଖି ଗୋଟା ବ୍ୟାରେଜର ସମସ୍ତ ୨୨ଟି ଗେଟ ଖୋଲାଯାଇଛି। ଯଦି ବର୍ଷାର ପରିମାଣ ବୃଦ୍ଧିପାଏ କିମ୍ବା ଉପରେ ମୁଣ୍ଡରେ ବର୍ଷା ଲାଗିରହେ ତା’ହେଲେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ୧୧ ପଞ୍ଚାୟତ ଓ ରାୟଗଡ଼ା ଜିଲାର ଗୁଣୁପୁର ସବ୍‌ଡିଭିଜନ ପ୍ରଭାବିତ ହେବା ଆଶଙ୍କା ରହିଛି । ତଳି ଅଞ୍ଚଳରେ ଏନେଇ ଜିଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ସମସ୍ତ ବ୍ଲକରେ ତହସିଲଦାର ଓ ବିଡିଓମାନଙ୍କୁ ସଜାଗ କରାଯାଇଛି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲାଯାଇଛି। ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ସଜାଗ ରହିଛି ବୋଲି କହିଛନ୍ତି ଅତିରିକ୍ତ ଜିଲାପାଳ ସଂଗ୍ରାମ ଶେଖର ପଣ୍ଡା। ପାରଳାଖେମୁଣ୍ଡି ସହର ସମେତ ଆର.ଉଦୟଗିରି, ରାୟଗଡ, ମୋହନା, ନୂଆଗଡ, ଗୋଷାଣୀ, କାଶୀନଗର ଓ ଗୁମ୍ମା ବ୍ଲକ ଅଞ୍ଚଳରେ ବର୍ଷା ଲାଗିରହିଛି। ଜିଲାରେ ରବିବାର ମୋଟ ୪୧୦.୮୦ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ହାରାହାରି ୫୧.୩୫ମିମି ବର୍ଷା ହୋଇଥିବା ଜିଲା ଜରୁରିକାଳୀନ ବିଭାଗ ପକ୍ଷରୁ ଜଣାଯାଇଛି । କାଶୀନଗର ବ୍ଲକରେ ୨୦ ମିମି, ପାରଳାଖେମୁଣ୍ଡି ସହରରେ ୨୨ ମିମି, ରାୟଗଡ ବ୍ଲକରେ ୫୮ମିମି, ଗୁମ୍ମା ବ୍ଲକରେ ୫୩ ମିମି, ନୂଆଗଡ ବ୍ଲକରେ ୭୦.୨୦ମିମି, ଆର୍‌.ଉଦୟଗିରି ବ୍ଲକରେ ୧୦୪ ମିମି, ମୋହନା ବ୍ଲକରେ ୩୯.୬ମିମି, ଗୋଷାଣୀ ବ୍ଲକରେ ୪୪ ମିମି ଏପରି ଭାବେ ମୋଟ ୪୧୦.୮୦ମିମି ବର୍ଷା ହୋଇଥିବା ଜଣାପଡିଛି ।

Related Articles

Back to top button