ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତାକା ଉତ୍ତୋଳନକୁ ବିରୋଧ କରି କଳା ପତାକା ଦେଖାଇଲା ବିଜେଡ଼ି

ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ତଥା ରଙ୍ଗେଇଲୁଣ୍ଡା ବ୍ଲକ କମଳାପୁର ଗ୍ରାମରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ କଳା ପତାକା ପ୍ରଦର୍ଶନ। ଗୋଳାବନ୍ଧ ଗ୍ରାମରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରିତ ହୋଇଥିଲେ। ତେବେ ପ୍ରଦୀପ ଏହି କାର୍ଯ୍ୟକ୍ରମକୁ ଯାଉଥିବା ବେଳେ କମଳାପୁର ଛକରେ ବିଜେଡି ନେତା ଧର୍ମରାଜୁ ରେଡି ଏବଂ କେତେକ ସମର୍ଥକ ପ୍ରଦୀପଙ୍କୁ କଳା ପତାକା ଦେଖାଇବା ସହ ତାଙ୍କ ଗାଡିକୁ ଅଟକାଇଥିଲେ।

ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଏବଂ ଧସ୍ତାଧସ୍ତି ହୋଇଥିଲା। ଧର୍ମରାଜୁଙ୍କୁ ପ୍ରଦୀପ ରାସ୍ତାରୁ ହଟାଇ ନିଜ କାରରେ ଆଗକୁ ବଢିଥିଲେ। ବିରୋଧର ସମ୍ମୁଖୀନ ହୋଇଥିଲେ ମଧ୍ୟ ପ୍ରଦୀପ କାର୍ଯ୍ୟକ୍ରମକୁ ଯାଇଥିଲେ ଏବଂ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତେବେ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଏଭଳି ରାଜନୈତିକ ବିରୋଧକୁ ପ୍ରଦୀପ କଡ଼ା ସମାଲୋଚନା କରିଛନ୍ତି। I Say, I came, I shall ବୋଲି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ଗୋପାଳପୁର ବିଧାୟକ ପ୍ରଦୀପ କହିଥିଲେ। ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିଲା। ସେ ପୋଲିସ ଆଡକୁ ଇଙ୍ଗିତ କରି ‘do your duty’ ବୋଲି କହିଥିଲେ। ଗୋଳାବନ୍ଧ ପରେ ଧବଳେଶ୍ୱରକୁ ଆଉ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇଥିଲେ।

ଜାତୀୟ ପତାକା ଉତ୍ତୋଳନ କରିବାର ଅଧିକାର ସମସ୍ତଙ୍କର ରହିଛି। ସ୍ଥାନୀୟ ବିଧାୟକ ଯଦି କୌଣସି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥି ଭାବେ ଯାଇ ପତାକା ଉତ୍ତୋଳନ କରୁଛନ୍ତି ଆଉ ସେ ଦଳରୁ ବହିଷ୍କୃତ ହେଲା ପରେ ବି ତାଙ୍କୁ ବିଜେଡି ବିରୋଧ କରିବା ଗୋଟିଏ ନୂଆ ଚର୍ଚ୍ଚାକୁ ସ୍ଥାନୀୟ ଅଞ୍ଚଳରେ ଖୋରାକ୍ ଯୋଗାଇଛି।

ଉଲ୍ଲେଖଯୋଗ୍ୟ, ଦୁର୍ନୀତି ମାମଲାରେ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇଥିଲେ। ପରେ ସେ ଜାମିନରୁ ବାହାରିଛନ୍ତି। ସେ ଜନ ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତି ରଖିଥିବାରୁ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଛି।

Related Articles

Back to top button