୭ ଦିନ ପାଇଁ ୧୦ ଜିଲା ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ବର: ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ଟି ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ସପ୍ତାହକ ପାଇଁ ବାତିଲ କରାଯାଇଛି। ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ, କଟକ ମୁଣ୍ଡଳୀଠାରେ ଏବେ ପ୍ରାୟ ୧୨ ଲକ୍ଷ ୧ ହଜାର ୪୨୬ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ବେଳେ ମହାନଦୀ ଓ ତା’ର ଶାଖା ନଦୀଗୁଡିକ ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ବନ୍ୟାଜଳ ପ୍ରବେଶ ଯୋଗୁ ଲୋକମାନେ ଏବେ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରଖିବା ପାଇଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳମାନଙ୍କୁ ନିଷ୍ପତ୍ତି ନେବାକୁ କୁହାଯାଇଛି। ଆସନ୍ତା ୪୮ ଘଣ୍ଟା ଅତ୍ୟନ୍ତ ଜରୁରୀ ହୋଇଥିବାରୁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଭଳି ୧୦ ଜିଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ୭ ଦିନ ପାଇଁ ବାତିଲ କରିଦିଆଯାଇଛି।

Related Articles

Back to top button