କ୍ୟାପିଟାଲ ହସ୍ପିଟାଲକୁ ସର୍ବଶ୍ରେଷ୍ଠ ହସ୍ପିଟାଲ ଭାବରେ ଘୋଷଣା କରାଯାଇଛି

ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଏବେ ଓଡ଼ିଶା ନୁହେଁ ସାରା ଦେଶରେ ନମ୍ବର ୱାନ୍ ସ୍ଥାନ ହାସଲ କରିଛି । ଚିକିତ୍ସା କ୍ଷେତ୍ରରେ ବଡ଼ ବଡ଼ ଡାକ୍ତରଖାନାକୁ ପଛରେ ପକାଇ ଶୀର୍ଷ ସ୍ଥାନ କବଜା କରିଛି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ । ଓଡ଼ିଶାର ୧ ନମ୍ବର ଡାକ୍ତରଖାନା ଭାବରେ ଏହାକୁ ସାରା ଦେଶରେ ସମ୍ମାନିତ କରାଯାଇଛି । ଚିିକିତ୍ସା କ୍ଷେତ୍ରରେ ଉନ୍ନତ ମାନ ସେବା ଯୋଗାଇ ଏନକ୍ୱାସ ତରଫରୁ କ୍ୱାଲିଟି ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

ରାଜ୍ୟର ସମସ୍ତ ଡାକ୍ତରଖାନା ମଧ୍ୟରୁ କ୍ୟାପିଟାଲ ହସ୍ପିଟାଲକୁ ସର୍ବଶ୍ରେଷ୍ଠ ହସ୍ପିଟାଲ ଭାବରେ ଘୋଷଣା କରାଯାଇଛି । ସୂଚନା ଅନୁସାରେ, ଚଳିତବର୍ଷ ଜୁଲାଇ ୭ ତାରିଖରୁ ୩ ଦିନ ପାଇଁ କ୍ୟାପିଟାଲ୍ ହସ୍ପିଟାଲର ସମସ୍ତ ବିଭାଗ ଯାଞ୍ଚ କରିଥିଲେ ଏନକ୍ୱାସ ଟିମ୍ । ହସ୍ପିଟାଲର ଅତ୍ୟାଧୁନିକ ଅପରେସନ୍, ରୋଗୀଙ୍କ ସୁରକ୍ଷା, ସ୍ୱଚ୍ଛ ପରିବେଶ, ମାନବସମ୍ବଳ ଏବଂ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁବିଧା ଇତ୍ୟାଦିକୁ ବୁଲି ଦେଖିଥିଲେ । ତେବେ ଏଭଳି କ୍ଷେତ୍ରରେ ହସ୍ପିଟାଲର ସୁବିଧା ସୁଯୋଗ ଇତ୍ୟାଦିରେ ପ୍ରଶଂସନୀୟ ପଦକ୍ଷେପ ଯୋଗୁଁ ଏନକ୍ୱାସ ଟିମ୍ ସନ୍ତୁୁଷ୍ଟ ରହିଥିଲେ । ତେବେ ହସ୍ପିଟାଲର ସମସ୍ତ ବିଭାଗକୁ ଯାଞ୍ଚ କରିବା ପରେ ଏହାକୁ ଟିମ୍ ତରଫରୁ ୮୮ ପ୍ରତିଶତ ମାର୍କ ପ୍ରଦାନ କରାଯାଇଛି । ରାଜ୍ୟର ଅନ୍ୟ ହସ୍ପିଟାଲ ଗୁଡ଼ିକ ଅପେକ୍ଷା ଏହା ସର୍ବଶ୍ରେଷ୍ଠ ରହିଛି ।

ତେବେ ଏନକ୍ୱାସ ସାଟିଫିକେଟ ମିଳିବା ପରେ ହସ୍ପିଟାଲକୁ ବର୍ତ୍ତମାନ ୭୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଡାକ୍ତରଖାନାର ପ୍ରତ୍ୟେକ ବେଡ ପାଇଁ ହସ୍ପିଟାଲକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।ତେବେ ଏହାର ୮୦ ପ୍ରତିଶତ ଆରକେଏସ ଯୋଜନାରେ ହେବାକୁ ଥିବା ବେଳେ ବାକି ୨୦ ପ୍ରତିଶତକୁ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଉପଯୋଗ କରାଯିବ । ଏହି ରାଶିରେ ଭିତ୍ତିଭୂମିର ଉନ୍ନତିକରଣ ଏବଂ ଡାକ୍ତର ଓ ନର୍ସଙ୍କ ସମେତ ସମସ୍ତ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କୃତ କରାଯିବ । ଏନକ୍ୱାସ ସାର୍ଟିଫିକେଟ ସହିତ କ୍ୟାପିଟାଲ ହସ୍ପିଟାଲକୁ ‘ଲକ୍ଷ୍ୟ’ ଏବଂ ‘କାୟାକଳ୍ପ’ ଭଳି ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି ।

Related Articles

Back to top button