କଂଗ୍ରେସ ନେତା ମହମ୍ମଦ ମୋକିମ୍‌ଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରୁ ମିଳିଛି ଆଶ୍ୱସ୍ତି

କଂଗ୍ରେସ ନେତା ମହମ୍ମଦ ମୋକିମ୍‌ ଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ଦୁଇ ସପ୍ତାହ ତଳେ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ । ମୋକିମଙ୍କ ନିର୍ବାଚନକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ମୋକିମ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଖବର ଅନୁଯାୟୀ, ୨୦୧୯ ନିର୍ବାଚନ ସମୟରେ ମହମ୍ମଦ ମୋକିମଙ୍କ ନାମାଙ୍କନପତ୍ର ନିର୍ଦ୍ଧାରିତ ନିୟମ ଅନୁଯାୟୀ ଦାଖଲ ହୋଇନଥିଲା । ଜନ ପ୍ରତିନିଧି ଆଇନର ଧାରା ୩୩, କଣ୍ଡକ୍ଟ ଅଫ୍ ଇଲେକ୍ସନ ରୁଲ୍ସ, ୧୯୬୧ର ନିୟମ ୪ ଓ ଭାରତର ନିର୍ବାଚନ କମିସନଙ୍କ ନିର୍ଦ୍ଦେଶନାମା ଉଲ୍ଳଂଘନ କରି ମହମ୍ମଦ ମୋକିମ ନାମାଙ୍କନପତ୍ର ଦାଖଲ କରିଥିଲେ। ଶ୍ରୀ ମୋକିମ ନାମାଙ୍କନପତ୍ରରେ ଆବଶ୍ୟକ ତଥ୍ୟ ଉଲ୍ଲେଖ କରି ନଥିବାରୁ ଜନପ୍ରତିନିଧି ଆଇନର ଧାରା ୩୬ରେ ପ୍ରଦତ୍ତ କ୍ଷମତା ଅନୁସାରେ ଯାଞ୍ଚ ସମୟରେ ରିଟର୍ଣ୍ଣିଂ ଅଫିସର ଶ୍ରୀ ମୋକିମଙ୍କ ନାମାଙ୍କନପତ୍ର ଖାରଜ କରିବା ଉଚିତ ଥିଲା । ନାମାଙ୍କନ ବେଳେ ଶ୍ରୀ ମୋକିମ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ବିରୋଧରେ ଥିବା ୧୩ଟି ଅପରାଧିକ ମାମଲା ସଂକ୍ରାନ୍ତରେ ଉପଯୁକ୍ତ ତଥ୍ୟ ଓ ସଂପୂର୍ଣ୍ଣ ଘୋଷଣାନାମା ଦେଇ ନଥିଲେ। ଏଭଳି ସ୍ଥିତିରେ ୯୦-ବାରବାଟୀ-କଟକ ବିଧାନସଭା ଆସନରୁ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଥିଲା । ମିଥ୍ୟା ସତ୍ୟପାଠ ନେଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ତେବେ ମହମ୍ମଦ ମୋକିମଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପର ରହିତାଦେଶ ଜାରି କରି ପ୍ରତିପକ୍ଷ ଦେବାଶିଷ ସାମନ୍ତରାୟଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନୋଟିସ କରିଛନ୍ତି ।

Related Articles

Back to top button