ଛତିଶଗଡ ୧୪ଟି ଗେଟ୍ ଜରିଆରେ ଛାଡିଲା ପାଣି, ଓଡିଶା ବନ୍ଦ କଲା ହୀରାକୁଦର ୮ଟି ଗେଟ୍

ହୀରାକୁଦ: ଓଡ଼ିଶାରେ ବର୍ଷା କମିଛି। ଏବେ ଅବପାତ ଛତିଶଗଡ ମୁହାଁ ହୋଇଛି। ତେଣୁ ମହାନଦୀର ଉପରମୁଣ୍ଡରେ ଥିବା ଛତିଶଗଡରେ ବର୍ଷା ଜାରି ରହିଛି। ବିଭିନ୍ନ ନଦୀରେ ପାଣି ଫୁଲି ଉଠିବା ପରେ ଛତିଶଗଡ ଧମତରି ଜିଲ୍ଲାର ଗଙ୍ଗରେଲ ଡ୍ୟାମର ସମସ୍ତ ୧୪ଟି ଯାକ ଗେଟ୍ ଖୋଲିଦେଇଛି। ଏହି ଗେଟ୍ ଦ୍ୱାରା ନିଷ୍କାସିତ ହେଉଥିବା ପାଣି ମହାନଦୀରେ ଆସି ମିଶିବ। ତେଣୁ ଓଡ଼ିଶାରେ ବନ୍ୟା ଆଶଙ୍କା ବଢିଛି। ଅନ୍ୟପଟେ ହୀରାକୁଦରେ ୮ଟି ଗେଟ୍ ବନ୍ଦ କରିଦେଇଛି ପ୍ରଶାସନ। ଗତକାଲି ୩୪ଟି ଗେଟ୍ ଦେଇ ପାଣି ପ୍ରବାହିତ ହେଉଥିଲା।

ମହାନଦୀ କୂଳରେ ଥିବା ଗାଁ ଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି। ଛତିଶଗଡରେ ପ୍ରବଳ ବର୍ଷା ଲାଗି ରହିଛି। ବିଶେଷ କରି ମହାନଦୀର କ୍ୟାଚମେଣ୍ଟ ଏରିଆରେ ପ୍ରବଳ ବର୍ଷା ଯୋଗୁ ଛୋଟ ବଡ ଜଳ ଭଣ୍ଡାର ଜଳ ସ୍ତର ବଢିବାରେ ଲାଗିଛି। ଆଉ ସେଇ ଜଳ ଭଣ୍ଡାର ବଢି ପାଣିକୁ ଖାଖା ନଦୀ ଜରିଆରେ ସିଧା ସଳଖ ଭାବେ ମହାନଦୀ ଛଡା ଯାଉଛି। ଏବେ ଏହି ଗଙ୍ଗରେଲ ଡ୍ୟାମରୁ ପ୍ରାୟ ୧ ଲଷ କ୍ୟୁସେକ  ବେଗରେ ପାଣି ନିଷ୍କାସନ କରାଯାଉ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ଜିଲ୍ଲାର ସିହୋଓ୍ୱାରୁ ୫ ଟି ଗେଟ ଖୋଲା ଯାଇଛି। ଫଳରେ ମହାନଦୀ ଆହୁରି ଫୁଲିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

ଏସଆରସି ପ୍ରଦୀପ କୁମାର ଜେନା ପ୍ରେସମିଟ୍ କରି କହିଛନ୍ତି, ଏବେ ଯେଉଁ ସ୍ଥିତି ରହିଛି ଅନୁମାନ କରାଯାଉଛି ଏହା ଏକ ମଧ୍ୟମ ଧରଣର ବନ୍ୟା । ପ୍ରବଳ ବନ୍ୟାକୁ ଏଡାଇ ପାଇଁ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେଉଛି। ତେଲ ନଦୀରେ ୫ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ ହୀରାକୁଦର ୮ଟି ଗେଟ ବନ୍ଦ କରାଯାଇଛି। ତେଣୁ କଟକ ମୁଣ୍ଡଳୀ ଦେଇ ୧୧ ଲକ୍ଷ କ୍ୟୁସେକ ପାଣି ନିଷ୍କାସନ ହେବ ବୋଲି ସୂଚନା ରହିଛି। ହୀରାକୁଦରେ ୬୨୧ ଫୁଟ ପାଣି ରହିଛି। ଉପର ମୁଣ୍ଡରେ ବର୍ଷାରେ ହେଉଥିବାରୁ ଆହୁରି ଏହି ପାଣି ବଢ଼ିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ବା ଏସଆରସି ଏହି ସୂଚନା ଦେଇଛନ୍ତି।

Related Articles

Back to top button