ରାଜ୍ୟରେ ଆଜିଠୁ ମାଗଣା ବୁଷ୍ଟର ଡୋଜ୍: କଲେଜ, ହଷ୍ଟେଲରେ ମଧ୍ୟ ଦିଆଯିବ ଟିକା

ଭୁବନେଶ୍ୱର: କରୋନା ମହାମାରୀ ପୁଣି ବଢ଼ିବାରେ ଲାଗିଥିବା ବେଳେ ବୁଷ୍ଟର ଡୋଜକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ରାଜ୍ୟରେ ଆଜିଠାରୁ ମାଗଣା ବୁଷ୍ଟର ଡୋଜ୍ ଦିଆଯିବ । ଆଜିଠୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ରୁ ୫୯ ବର୍ଷ ବୟସ୍କଙ୍କୁ ମିଳିବ ମାଗଣା ପ୍ରିକସନ ଡୋଜ ବା ବୁଷ୍ଟର ଡୋଜ୍ ଦିଆଯିବ । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ, ୭୫ ଦିନ ଧରି ଚାଲିବ ଏହି ସ୍ୱତନ୍ତ୍ର ଅଭିଯାନ ।

ରାଜ୍ୟର ପ୍ରାୟ ୩ ହଜାର ସରକାରୀ ଟିକାକରଣ କେନ୍ଦ୍ରରେ ଟିକାଦାନ ପାଇଁ ବ୍ୟବସ୍ଥା ହୋଇଛି । କଲେଜରେ ମଧ୍ୟ ମାଗଣା ଟିକାଦାନର ବ୍ୟବସ୍ଥା ହୋଇଛି । ଅନଲାଇନ ବୁକିଂ କିମ୍ବ ସିଧାସଳଖ କେନ୍ଦ୍ରକୁ ଯାଇ ଆପଣ ଟିକା ନେଇପାରିବେ । ରାଜ୍ୟରେ ଇଞ୍ଜିନିୟରିଂ କଲେଜ, ହଷ୍ଟେଲରେ ମଧ୍ୟ ଦିଆଯିବ ଟିକା ।

ତେବେ ସହରାଞ୍ଚଳଗୁଡ଼ିକରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟିକାକରଣ, ସଚେତନତା ଓ ସଠିକ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଗୁରୁତ୍ୱାରୋପ କରିଛନ୍ତି । ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିବା ପରେ ଏନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗର ପ୍ରମୁଖ ଶାସନସଚିବ ନିକୁଞ୍ଜବିହାରୀ ଧଳ କୋଭିଡ ସଂକ୍ରମଣ ଓ ପରିଚାଳନା ସମ୍ପର୍କିତ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ବୈଠକରେ ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ତେବେ ଶୁକ୍ରବାରଠାରୁ ମାଗଣା ବୁଷ୍ଟର ଡୋଜ୍ ପ୍ରଦାନ କରାଯାଉଥିବାରୁ ଏଥିନେଇ ଅଭିଯାନ ଆରମ୍ଭ କରିବା, ଦୈନିକ କୋଭିଡ ଟେଷ୍ଟିଂ ସଂଖ୍ୟା ବଢାଇବା, କଲ୍ ସେଣ୍ଟରକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ବିଭିନ୍ନ ଇଞ୍ଜିନିୟରିଂ କଲେଜ, ଛାତ୍ରାବାସ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଆଦିରେ ଛାତ୍ରଛାତ୍ରୀଙ୍କର ଟିକାକରଣ ସହ ସହରାଞ୍ଚଳମାନଙ୍କରେ ୧୮ରୁ ୫୯ବର୍ଷ ଲୋକଙ୍କ ପାଇଁ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ଜନପ୍ରତିନିଧି, ଅଙ୍ଗନୱାଡ଼ି କର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ସାମିଲ କରିବା ପାଇ ଉନ୍ନୟନ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଥିଲେ । ମାସ୍କ ପରିଧାନ, ସାମାଜିକ ଦୂରତା, ଭିଡ଼ ଭିତରକୁ ନଯିବା ତଥା ଅଯଥା ଗହଳି ନ କରିବା କ୍ଷେତ୍ରରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ମୁଖ୍ୟସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ସେହିପରି ପ୍ରତ୍ୟେକ ମେଡ଼ିକାଲ କଲେଜ ଏବଂ ଜିଲ୍ଲା ଚିକିତ୍ସାଳୟରେ ସ୍ୱତନ୍ତ୍ର କୋଭିଡ ୱାର୍ଡ ବ୍ୟବସ୍ଥା କରାଯାଇଥିବା ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନସଚିବ (ଗୃହବିଭାଗ) ସଞ୍ଜିବ ଚୋପ୍ରା, ଅତିରିକ୍ତ ମୁଖ୍ୟ ଶାସନସଚିବ ଅନୁ ଗର୍ଗ ପ୍ରମୁଖ ଯୋଗ ଦେଇଥିବାବେଳେ ଜିଲ୍ଲାପାଳ ଓ ପୌରନିଗମର କମିଶନରମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ନିଜ ନିଜ ଅଞ୍ଚଳର କୋଭିଡ ସ୍ଥିତି ଓ ମୁକାବିଲା ସଂପର୍କରେ ସଦ୍ୟତମ ସୂଚନା ପ୍ରଦାନ କରିଥିଲେ ।

Related Articles

Back to top button