ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା

ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା ।  ଭୁବନେଶ୍ୱରଠାରେ ଆଜି ସକାଳ ୮ ଘଟିକା ସମୟରେ ଶ୍ରୀ ହୋତାଙ୍କର ପରଲୋକ ଘଟିଛି । ଶ୍ରୀ ହୋତା ସାହିତ୍ୟି ଓଡ଼ିଶା ଏକାଡେମୀର ସଭାପତି ଭାବେ କାର୍ଯ୍ୟ କରିବା ସହିତ ଦୈନିକ ଓଡ଼ିଆ ଖବରକାଗଜ ‘ସମୟ’ର ସମ୍ପାଦକ ଭାବେ ସଫଳତାରସହ କାର୍ଯ୍ୟ କରିଥିଲେ । ତାଙ୍କର ମୃତ୍ୟୁରେ ସାହିତ୍ୟ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

ମୃତ୍ୟୁ ବେଳକୁ ଶ୍ରୀ ହୋତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ସେ ଅନେକ ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଓ ଆତ୍ମଜୀବନୀ ରଚନା କରି ସମସ୍ତଙ୍କ ହୃଦୟକୁ ଜୟ କରିପାରିଥିଲେ । ସେ ଭାରତୀୟ ରେଳ ସେବାରୁ ଅବସର ଗ୍ରହଣ କରିଥିଲେ । ସେ ୧୯୮୫ ମସିହାରେ ‘ଭୁବନେଶ୍ୱର ପୁସ୍ତକ ମେଳା’ ଆରମ୍ଭ କରିବାରେ ଅନ୍ୟତମ ପୁରୋଧା ଥିଲେ । ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ ‘ବ୍ୟାକୁଳ ହୃଦୟ’ ଓ ୧୯୭୧ରେ ପ୍ରଥମ ଗପ ପ୍ରକାଶ ପାଇଥିଲା ।ସେ ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ କବିତା ପୁସ୍ତକ ରଚନା କରିଥିଲେ । ଅଶାନ୍ତ ଅରଣ୍ୟ ପାଇଁ ସେ ୧୯୮୭ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏଥିସହିତ ୨୦୦୪ରେ ତାଙ୍କୁ ଶାରଳା ପୁରସ୍କାର, ୨୦୧୭ରେ ସାହିତ୍ୟ ଭାରତୀ ସମ୍ମାନ ଓ ୨୦୦୦ରେ ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ ପ୍ରଦାନ କରାଯାଇଥିଲା । ସାତକଡ଼ିଙ୍କ ପରି ଜଣେ ସାରସ୍ୱତ ପ୍ରତିଭାଙ୍କ ମୃତ୍ୟୁ ଖବର ପାଇ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି।

 

Related Articles

Back to top button