ଅଲାରନାଥଙ୍କ ପ୍ରିୟ ଖିରି ଭୋଗ ଚାହିଦା ବଢୁଛି

‘ଆ ଅଲାର ଖା ଖିରି’ ଉକ୍ତିଟି ଅଲାରନାଥ କ୍ଷେତ୍ରରେ ଲାଗିଥାଏ। ଏହି ଖିରି ଭୋଗର ପରମ୍ପରା କେଉଁ ଅନାଦି ଯୁଗରୁ ଚାଲିଆସିଛି

ମହାପ୍ରଭୁ ଜ୍ୱରରେ ପଡ଼ିଥିବା ବେଳେ ଅଣସରରେ ଠାକୁର ଭକ୍ତଙ୍କୁ ବ୍ରହ୍ମଗିରିସ୍ଥିତ ଅଲାରନାଥ ଭାବେ ଦର୍ଶନ ଦିଅନ୍ତି। ଏହି ସମୟରେ ମହାପ୍ରଭୁ ଅଲାରନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ଏଥିସହ ଏଠାରେ ଅଲାରନାଥଙ୍କ ପ୍ରିୟ ଖିରିକୁ ଭୋଗ ଆକାରରେ ଲାଗି ହୋଇଥାଏ। ତେବେ ଭୋଗ ପରେ ଖିରିକୁ ଭକ୍ତମାନେ ମଧ୍ୟ ନିଅନ୍ତି। ଫଳରେ ଏହି ସମୟରେ ଖିରି ଭୋଗ ନେବା ପାଇଁ ଭକ୍ତଙ୍କ ମଧ୍ୟରେ ଚାହିଦା ବଢ଼ିବାରେ ଲାଗିଛି।

‘ଆ ଅଲାର ଖା ଖିରି’ ଉକ୍ତିଟି ଅଲାରନାଥ କ୍ଷେତ୍ରରେ ଲାଗିଥାଏ। ଏହି ଖିରି ଭୋଗର ପରମ୍ପରା କେଉଁ ଅନାଦି ଯୁଗରୁ ଚାଲିଆସିଛି । କପିଳ ସହିଂତାରେ ପ୍ରମାଣ ଦିଏ, ନୀଳମାଧବଙ୍କ ଅନ୍ତଃଧ୍ୟାନ ପରେ ବ୍ରହ୍ମଗିରି ନିକଟସ୍ଥ ଏକ ବ୍ରାହ୍ମଣ ପରିବାରରେ ଅବସ୍ଥାପନ କରିଥିଲେ। ସେତେବେଳେ ବ୍ରହ୍ମଗିରିରେ କୋମା ବ୍ରାହ୍ମଣମାନେ ବସବାସ କରୁଥିଲେ। ଉକ୍ତ ନାରାୟଣ ମୂର୍ତ୍ତିକୁ ଶ୍ରୀକେତନ ନାମକ ଏକ ଗରିବ ବ୍ରହ୍ମଣ ପୂଜା କରୁଥାନ୍ତି। ସେ ଭିକ୍ଷାକରି ଚଳୁଥିବାରୁ ଠାକୁରଙ୍କୁ ଚାଉଳ ଖିରି ଭୋଗ କରନ୍ତି। ଏକଦା ବ୍ରହ୍ମଣ ବିଦେଶ ଯିବା ସମୟରେ ତା’ର ୮ ବର୍ଷର ପୁଅ ମଧୁସୂଦନଙ୍କୁ ଠାକୁରଙ୍କ ପୂଜାରେ ନିୟୋଜିତ କରିଥିଲେ। ଛୋଟ ବାଳକଟି ତାଙ୍କ ମା’ ରାନ୍ଧିଥିବା ଖିରି ନେଇ ମନ୍ଦିରକୁ ଯାଇ ପୂଜା ଜାଣି ନ ଥିବାରୁ ପାତ୍ରଟି ଠାକୁରଙ୍କ ନିକଟରେ ଥୋଇ ‘ଆ ଠାକୁର ଖା ଖିରି, ବାପା ଯାଇଛନ୍ତି ବିଦେଶ କରି’ ଉକ୍ତ ଉକ୍ତିଟି କହି ଦୁଆର ବନ୍ଦ କରିଦେଇଥିଲେ। କିଛି ସମୟ ପରେ ଦେଖନ୍ତି ଖିରି ପାତ୍ରଟି ସମ୍ପୂର୍ଣ୍ଣ ଖାଲି ହୋଇଯାଇଥାଏ। ଶ୍ରୀକେତନ ଫେରିବା ପରେ ଏହା କଥା ଜାଣି ବିଶ୍ୱାସ ଗ୍ରହଣ କରିପାରି ନଥିଲେ। ଉକ୍ତ ଘଟଣାଟିକୁ ପରଖିବା ପାଇଁ ପୂର୍ବଦିନ ପରି ପୁଅକୁ ପଠାଇ କବାଟ ଫାଙ୍କରେ ଲୁଚି ଦେଖୁଥିଲେ। ସେ ଯେତେବେଳେ ଦେଖିଲେ ଠାକୁର ଆସି ଖିରି ଖାଆନ୍ତି, ସଙ୍ଗେ ସଙ୍ଗେ ଦୁଆର ଖୋଲି ଦେବା ବେଳେ ଠାକୁର ନିଜ ସ୍ଥାନକୁ ଫେରିବା ସମୟରେ ଗରମ ଖିରି ପଡି ତାଙ୍କ ଶରୀର ଫୋଟକା ହୋଇଥିଲା। ଏବେ ମଧ୍ୟ ଠାକୁରଙ୍କ ବିଗ୍ରହରେ ଫୋଟକା ଚିହ୍ନ ଦେଖିବାକୁ ମିଳେ। ସେହିଦିନଠାରୁ ଅଲାରନାଥଙ୍କ ପ୍ରିୟ ପ୍ରସାଦ ଖିରି ଭୋଗ। ଏହି ଅଣସର ସମୟରେ ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଖିରି ପ୍ରସାଦ ପାଇଁ ଆସିଥାନ୍ତି। ପ୍ରସାଦ ମନ୍ଦିରର ରୋଷଶାଳାରେ ସେବାୟତମାନେ ପ୍ରସ୍ତୁତ କରନ୍ତି। ପରେ ଏହାକୁ ମାଟିପାତ୍ରରେ ଭର୍ତ୍ତି କରି ଓଳି ପିଛା ୨୦ ଟଙ୍କାରୁ ଊର୍ଦ୍ଧ୍ୱ ଦରରେ ବିକ୍ରି କରନ୍ତି।

Related Articles

Back to top button