ରାଜ୍ୟରେ ଡେଙ୍ଗୁ ସ୍ଥିତି ଜଟିଳ: ଗତ ୨୪ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ହଜାର ପାର୍‌। ଗତକାଲି ସୁଦ୍ଧା ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୪୧ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୩୯ଜଣ ଡେଙ୍ଗୁ ରୋଗୀ । ସେଥିମଧ୍ୟରୁ ଭୁବନେଶ୍ୱରରୁ ୧୩୫ ଓ ଉପକଣ୍ଠରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୨୬କୁ ବୃଦ୍ଧି ପାଇଛି ।

ରାଜଧାନୀରେ ସେଞ୍ଚୁରୀ ମାରିଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଯାହାକୁ ନେଇ ଜନସାଧାରଣ ଭିତରେ ଭୟ ବଢ଼ିବାରେ ଲାଗିଛି । ଲୋକମାନେ ଡେଙ୍ଗୁ ଆତଙ୍କରେ କଲବଲ ହେଲେଣି । ତଥାପି ବିଏମସିର ନିଦ ଭାଙ୍ଗୁନି ବୋଲି ଅଭିଯୋଗ ହୋଇଛି । ଡେଙ୍ଗୁ ମଶା ନିୟନ୍ତ୍ରଣ ପାଇଁ ନା ବୁଲୁଛି ଟିଫା ମେସିନ୍‌ । ନା ପଡ଼ୁଛି ମଶା ତେଲ । ଖାଲି ଡ୍ରାଏ ଡେ’ରେ ସୀମିତ ରହି ଯାଇିଛି ବିଏମ୍‌ସି ।

ଏପଟେ କ୍ୟାପିଟାଲ ହସ୍ପିଟାଲରେ ସ୍ଥିତି ଅଣାୟତ୍ତ ହେଲାଣି । ରୋଗୀ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବର୍ତ୍ତମାନ ହସ୍ପିଟାଲରେ ୩୦ ଜଣ ରୋଗୀ ଭର୍ତ୍ତି ଅଛନ୍ତି । ତେବେ ବ୍ଲଡ ବ୍ୟାଙ୍କରେ ପ୍ଲେଟଲେଟ୍‌ ଅଭାବ ସ୍ଥିତିକୁ ଆହୁରି ସାଂଘାତିକ କରିଛି । କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍‌ ବ୍ୟାଙ୍କ ନିର୍ଦ୍ଦେଶକ ଡାକ୍ତର ଦେବାଶିଷ ମିଶ୍ରଙ୍କ ସୂଚନା ମୁତାବକ, ଦୈନିକ ପ୍ରାୟ ୨୦ଟି ପ୍ଲେଟଲେଟ୍‌ ହସ୍ପିଟାଲକୁ ଯାଉଛି । ଆଗକୁ ପ୍ଲେଟ୍‌ଲେଟ୍‌ ଅଭାବ ଦେଖାଦେଇପାରେ । କାରଣ ପ୍ଲଟଲେଟ୍‌ କେବଳ ୪ରୁ୫ ଦିନ ପର୍ଯ୍ୟନ୍ତ ରହିବ । ତେଣୁ ବର୍ତ୍ତମାନ ଜନସାଧାରଣ ରକ୍ତଦାନ ପାଇଁ ବ୍ଲଡ୍‌ ବ୍ୟାଙ୍କକୁ ଆସନ୍ତୁ ବୋଲି ସେ ଅପିଲ କରିଛନ୍ତି । କୌଣସି ବାହାର ରକ୍ତଦାନ ଶିବିରରେ ରକ୍ତରୁ ପ୍ଲେଟ୍‌ଲେଟ୍‌ ପୃଥକୀକରଣ ହୋଇ ପାରିବ ନାହିଁ । ତେଣୁ ବ୍ଲଡ୍‌ ବ୍ୟାଙ୍କ ଆସି ରକ୍ତଦାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

Related Articles

Back to top button