କଳାହାଣ୍ଡିରେ ଡାଇରିଆ ସ୍ଥିତି ଜଟିଳ, ଜୟନ୍ତାପୁର ଗାଁରେ ୫ରୁ ଅଧିକ ଆକ୍ରାନ୍ତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଥମୁନି ଡାଇରିଆ ଆତଙ୍କ । ପଞ୍ଚାୟତରୁ ପଞ୍ଚାୟତ ଗାଁକୁ ଗାଁ ଡାଇରିଆ ବ୍ୟାପିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଏବେ ଜିଲ୍ଲାର ଜୟନ୍ତପୁର ଗାଁରେ ଡାଇରିଆରେ ୫ରୁ ଅଧିକ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଓ ଜନ ସଚେତନତା ଅଭାବରୁ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି ।

ଜିଲ୍ଲାରେ ଗତ ଗୋଟିଏ ମାସ ହେବ ଡାଇରିଆ ଆତଙ୍କ ଦେଖାଦେଇଛି । ଡାଇରିଆ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ମଧ୍ୟ ଅନେକ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି । ଏସବୁ ଭିତରେ ଏବେ ପୁଣି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଜୟନ୍ତାପୁର ଗାଁରେ ଡାଇରିଆ ବ୍ୟାପିଥିବା ଜଣାପଡିଛି ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗାଁରେ ୫ରୁ ଉର୍ଦ୍ଧ୍ବ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଧର୍ମଗଡ଼ ମେଡ଼ିକାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଏହି ସହିତ ଗାଁରେ ମେଡ଼ିକାଲ ଟିମ ପହଞ୍ଚି ଘରକୁ ଘର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗାଁରେ ଥିବା ନଳକୂପ ଗୁଡିକରୁ ନମୁନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି । ସେପଟେ ପୂର୍ବରୁ ଜିଲ୍ଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ଼ ଓ ମଦନପୁର ରାମପୁର ଅଞ୍ଚଳରେ ଡାଇରିଆ ସ୍ଥିତି ଜଟିଳ ହୋଇଥିଲା । ଦୁଇ ଜଣଙ୍କ ଜୀବନ ମଧ୍ୟ ନେଇଛି ଡାଇରିଆ । ବର୍ତ୍ତମାନ ଏ ସବୁ ବ୍ଲକରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସରକାରୀ ତଥ୍ୟ ଅନୁଯାୟୀ, ଜିଲ୍ଲାରେ ବିଗତ ଏକ ମାସ ୭୧ରୁ ଅଧିକ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ବିଭିନ୍ନ ମେଡ଼ିକାଲରେ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟ ବିଭାଗର ଟିମ ପ୍ରତି ଦିନ ଗାଁ ବୁଲୁଛନ୍ତି ଏବଂ କ୍ୟାମ୍ପ ବ୍ୟବସ୍ଥା ମଧ୍ୟ କରାଯାଇଛି । ନିକଟରେ ନୂଆଁଖାଇ ପର୍ବ ଯାଇଛି, ଲୋକଙ୍କ ଖାଇବା ପିଇବା ନେଇ ସମସ୍ୟା ଦେଖାଦେଉଛି । ବିଶେଷ ଭାବରେ ଉକ୍ତ ଗ୍ରାମମାନଙ୍କରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି । କେତେକ ଲୋକ ଝରଣା ପାଣି ବ୍ୟବହାର କରୁଛନ୍ତି । ଯାହା ଫଳରେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହେଉଛନ୍ତି ।

Related Articles

Back to top button