ଗଞ୍ଜାମ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କଲେ ଦିବ୍ୟଜ୍ୟୋତି ପରିଡ଼ା

ସମସ୍ତ ବିଭାଗର ସମୀକ୍ଷା କରି ଏହାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି

ଗଞ୍ଜାମ ଜିଲ୍ଲାର ୬୦ତମ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଦିବ୍ୟଜ୍ୟୋତି ପରିଡା । ଜିଲ୍ଲାରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ୫ଟି ମନ୍ତ୍ର ଆଧାରରେ ଆହୁରି ଆଗେଇ ନେବାକୁ ପଡିବ । ସମସ୍ତ ବିଭାଗର ସମୀକ୍ଷା କରି ଏହାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲାରେ ଚାଲିଥିବା ପ୍ରକଳ୍ପ ଗୁଡିକ ନିର୍ଦ୍ଧାରିତ ସମୟରେ ମଧ୍ୟ ଶେଷ କରିବାକୁ ଗୁରୁତ୍ୱ ଦେଇଛନ୍ତି ।

ଆଜି ପୂର୍ବାହ୍ନରେ ଶ୍ରୀ ପରିଡା ଛତ୍ରପୁର ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚିଥିଲେ । ପୂର୍ବତନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଶ୍ରୀ ପରିଡା ନିଜ ବକ୍ତବ୍ୟ କହିଥିଲେ, ଚାକିରି କରିବା ସମୟରେ ବିଭିନ୍ନ ବିଷୟରେ ଯେଉଁଠାରେ ଅସୁବିଧା ହୁଏ କୁଲାଙ୍ଗେ ସାରଙ୍କ ଠାରୁ ମତାମତ ନେଇଥାଏ । ପୂର୍ବରୁ କୁଲାଙ୍ଗେ ସାର ଯେଉଁ ସ୍ଥାନରେ କାର୍ଯ୍ୟ କରିଆସିଥିଲେ ପରବର୍ତ୍ତୀ ସମୟରେ ମୁଁ କାର୍ଯ୍ୟ କରୁଥିଲି । ଯାହା ଫଳରେ ମୋତେ ବହୁ କିଛି ଜ୍ଞାନ ମିଳିଥାଏ  । ଜିଲ୍ଲାରେ ବିକାଶ ନିମନ୍ତେ କୁଲାଙ୍ଗେ ସାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ତାହାକୁ ମୁଁ ମଧ୍ୟ ଆଗକୁ ନେବି ବୋଲି  ସେ କହିଥିଲେ ।

୨୦୧୬ ବ୍ୟାଚର ଆଇଏଏସ୍ ଅଫିସର ଦିବ୍ୟଜ୍ୟୋତି ପରିଡା  । ତାଙ୍କର ୨୬ ତମ ରାଙ୍କ  ରହିଥିଲା ।  ଶ୍ରୀ ପରିଡାଙ୍କ ପୈତୃକ ଘର ବାଲେଶ୍ୱର ନିଳଗିରି ବ୍ଲକ୍‌ ଅଯୋଧ୍ୟା ଗ୍ରାମରେ । ପିତା ପ୍ରସନ୍ନ କୁମାର ପରିଡା ଓ ମାତା ଡକ୍ଟର ମାୟାବିନୀ ଜେନାଙ୍କ ପୁଅ । ଉଭୟ ବାପା ଓ ମା କଟକ ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଥିବାରୁ ଶ୍ରୀ ଦିବ୍ୟଜ୍ୟୋତିଙ୍କ ପାଠପଢା କଟକରେ ହିଁ ହୋଇଥିଲା । ଏହା ପୂର୍ବରୁ ସେ ସମ୍ବଲପୁର ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ ସଂପାଦନ କରୁଥିଲେ ।

Related Articles

Back to top button