
ନକଲି ଔଷଧ ବିକ୍ରି ମାମଲା: ଗିରଫ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ
କଟକ: ନକଲି ଔଷଧ ବିକ୍ରି ଘଟଣାର ତଦନ୍ତ ଚାଲିଛି। ପୁରୀଘାଟ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି। ତେବେ ମିଳିଥିବା ସୂଚନା ଅନୁସାରେ ଗତକାଲି ଅଭିଯୁକ୍ତଙ୍କର ୨୮ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ସିଲ୍ କରିଛି।
ଡ୍ରଗ୍ସ କଣ୍ଟ୍ରୋଲର ବିଭାଗର ଅଧିକାରୀଙ୍କ ସହିତ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଦୁଇ ଅଭିଯୁକ୍ତ ରାହୁଲ କୌଲ ଏବଂ ସଞ୍ଜୟ ଜଲାନଙ୍କୁ ଅଧିକ ପଚରାଉଚରା କରିବେ। ଉଚ୍ଚ ରକ୍ତଚାପ ଏବଂ ହୃଦରୋଗର ଚିକିତ୍ସା ପାଇଁ ବ୍ୟବହୃତ ନକଲି ଔଷଧ ବିକ୍ରି ସମ୍ବନ୍ଧରେ ଅଧିକ ତଥ୍ୟ ପାଇବା ପାଇଁ ପୋଲିସ ସମସ୍ତ ପ୍ରକାର ପ୍ରୟାସ କରୁଥିବା ସୂଚନା ରହିଛି।
ଜେରା ବେଳେ ପୋଲିସ ଏହି ନକଲି ଔଷଧ ବିକ୍ରି ପଛର ଉଦ୍ଦେଶ୍ୟ କ’ଣ, କିଏ ଏହାର କିଙ୍ଗପିନ୍, କେଉୁଁଠୁ ଆସିଥିଲା ଏହି ନକଲି ଔଷଧ, କେତେ ଦିନ ପର୍ଯ୍ୟନ୍ତ ଏହି ନକଲି ଔଷଧ ବିକ୍ରି ହୋଇଛି, ଔଷଧରେ ଲାଗିଥିବା ବ୍ୟାଚ ନମ୍ବର କେଉଁଠୁ ମିଳିଲା, କାହିଁକି ଟେଲର ଦୋକାନୀର ସ୍କାନ କୋଡ ଲଗାଯାଇଥିଲା ଏମିତି ଅନେକ ପ୍ରଶ୍ନକୁ ନେଇ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଜେରା କରିବ ବୋଲି ସୂଚନା ରହିଛି। ଯଦି ଆବଶ୍ୟକ ହୁଏ ତେବେ ଏହି ଘଟଣାର ଅଧିକ ତଦନ୍ତ ପାଇଁ ଏକ ପୋଲିସ୍ ଟିମ୍ ଅନ୍ୟ ରାଜ୍ୟକୁ ଗସ୍ତ କରିବ।
କଟକ ଡେପୁଟି କମିଶନର ପୋଲିସ (ଡିସିପି) ପିନାକ ମିଶ୍ର କହିଛନ୍ତି, ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନ ରିମାଣ୍ଡରେ ନେବାକୁ କୋର୍ଟ ପୂର୍ବରୁ ଅନୁମତି ଦେଇଛନ୍ତି। ଗତକାଲି ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଜବତ କରାଯାଇଛି। ଆମେ ଦୁଇଟି ଆକାଉଣ୍ଟରୁ କାରବାରର ବିବରଣୀ ଖୋଜିଛୁ। ସବିଶେଷ ତଥ୍ୟ ପାଇବା ପରେ, ଆମେ ଆର୍ଥିକ ଅନୁସନ୍ଧାନ ସହିତ ଆଗକୁ ବଢ଼ିବୁ। ଦୁଇ ଅଭିଯୁକ୍ତଙ୍କ ଲିଙ୍କ ଜଣାପଡିବା ପରେ ତଦନ୍ତକାରୀ ଟିମ୍ ବାହାର ରାଜ୍ୟକୁ ଗସ୍ତ କରିବ କି ନାହିଁ ସ୍ପଷ୍ଟ ହୋଇଯିବ।