ଉତ୍ତର ଓଡିଶାରେ ବନ୍ୟା ସ୍ଥିତି: ସୁବର୍ଣ୍ଣରେଖାରେ ଜଳସ୍ତର ବିପଦ ସଙ୍କେତ ଉପରେ

ବାଲେଶ୍ୱର: ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି। ସୁବର୍ଣ୍ଣରେଖାରେ ବିପଦ ସଙ୍କେତ ଟପିଛି ଜଳସ୍ତର । ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଏବେ ୧୦.୩୮ ମିଟର ଉପରେ ପ୍ରଭାବିତ ହେଉଛି ବନ୍ୟାପାଣି । ଜଳକା ନଦୀବି ଉଛୁଳୁଛି । ଜଳକାର ମଥାନୀ ବିପଦ ସଂକେତ ୫.୫୦ ମିଟର ଥିଲା ବେଳେ ଏବେ ୬.୪୬ ମିଟର ଉପରେ ପ୍ରଭାବିତ ହେଉଛି ।

ତେବେ ବନ୍ୟାପାଣି ବସ୍ତା ବ୍ଲକର ୧୩ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ଓ ସଦର ବ୍ଲକର ଦୁଇଟି ପଞ୍ଚାୟତକୁ ମାଡ଼ିଯାଇଛି । ବନ୍ୟାପାଣି ପଶି ଯିବାରୁ ୧୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯଇଛି । ସୁବର୍ଣ୍ଣରେଖାରେ ବଡ଼ଧରଣର ବନ୍ୟା ବିପତ୍ତି ଟଳିଯାଇଥିଲେ ମଧ୍ୟ ଉବୁଟୁବୁ ବାଲେଶ୍ବର । ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଳକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ୪ଟି ବ୍ଳକ୍ ସହିତ ବାଲେଶ୍ବର ସଦର ଓ ରେମୁଣା ବ୍ଳକର ମୋଟ୍ ୧୫୧ ଗାଁ ପାଣି ଘେରରେ ରହିଥିବା ସରକାରୀ ଭାବେ ଦର୍ଶାଯାଇଛି।

ତେବେ ଏହାଠାରୁ ଅଧିକ ଗାଁ କ୍ଷତିଗ୍ରସ୍ତ ହୋଇଥିବା ବେସରକାରୀ ଭାବେ ଆକଳନ କରାଯାଇଛି। ଝାଡ଼ଖଣ୍ଡରେ ବର୍ଷା କମୁଥିବାରୁ ଗାଲୁଡ଼ିହି ଡ୍ୟାମ୍ ର ୧୬ଟି ଗେଟ୍ ବନ୍ଦ କରି ଦିଆଯାଇଛି। ସୁବର୍ଣ୍ଣରେଖାର ବନ୍ୟା ଯୋଗୁଁ ତଳିଆ ଓ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨ରୁ ୩ ଦିନ ଯାଏ ବନ୍ୟା ସ୍ଥିତି ଲାଗିରହିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ବନ୍ୟା ପାଇଁ ବାଲିଆପାଳ ବ୍ଲକରେ ହାଇ ଆଲର୍ଟ ଜାରି ହୋଇଛି । ୨ ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଲୋକଙ୍କୁ ଉଦ୍ଧାର ଓ ରିଲିଫ ପହଞ୍ଚାଇବା ଲାଗି NDRF, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ଲାଗିଛନ୍ତି । ୪୦ ହଜାର ୧୨୪ ଜଣ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି।

ସେପଟେ ବୈତରଣୀ ନଦୀର ଜଳସ୍ତର କମିବାରେ ଲାଗିଛି। ତଳମୁଣ୍ଡରେ ଥିବା ଦଶରଥପୁର ବ୍ଲକ୍ ରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବୈତରଣୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ମିଟର ରହିଥିବା ଏଠାରେ ଜଳସ୍ତର ୧୭.୮୧ ମିଟର ରହିଛି। ବନ୍ୟାଜଳ ନିଷ୍କାସନ ହୋଇନପାରି ମୁକୁଳା ଘାଇ ଦେଇ ବିଭିନ୍ନ ଗ୍ରାମାଞ୍ଚଳକୁ ମାଡ଼ିଚାଲିଛି।

Related Articles

Back to top button