ରାୟଗଡ଼ା ଜିଲ୍ଲା କାଶୀପୁର ଗସ୍ତ କରି ଲୋକଙ୍କୁ ସଚେତନ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁରରେ ହଇଜା ବ୍ୟାପି ୭ ଜଣ ଆଖି ବୁଜି ସାରିଥିବା ବେଳେ ଶହେରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏବେବି  ସଂକ୍ରମଣରେ ବ୍ରେକ୍‌ ଲାଗି ନ ଥିବା ବେଳେ ଆଜି କାଶୀପୁର ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଦକ୍ଷିଣାଞ୍ଚଳ RDC ମଧ୍ୟ ସମସ୍ତ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି ।

କାଶୀପୁର, ଟିକିରି ଓ ଉତ୍କଳ ଆଲୁମିନା ହସ୍ପିଟାଲକୁ ଯାଇ ରୋଗୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଝାଡ଼ାବାନ୍ତି ରୋଗ କିପରି ନ ବ୍ୟାପିବ ସେ ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରିଛନ୍ତି । କାଶୀପୁର ବ୍ଳକର ଟିକିରି ସମେତ ଆଖପାଖ ୭ଟି ଗ୍ରାମରେ ଗତକିଛି ଦିନ ଧରି ବ୍ୟାପିଥିବା ହଇଜାରେ ଆକ୍ରାନ୍ତ ରୋଗୀଙ୍କ ପାଖରେ କିପରି ଚିକିତ୍ସା ସେବା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ସଚିବ। ଜଳ ଯୋଗାଣ ପ୍ରକଳ୍ପଗୁଡିକୁ ତୁରନ୍ତ ମରାମତି ସହ ନୂତନ ଜଳ ଯୋଗାଣ ପ୍ରକଳ୍ପ କାମଶୀଘ୍ର ସାରିବା ଲାଗି RDC ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳ ବି ମେଡିକାଲ ଟିମ୍‌ ସହ ଗାଁକୁ ଗାଁ ବୁଲି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ଏନେଇ ସ୍ୱାସ୍ଥ୍ୟ ସଚିବ ନିରଞ୍ଜନ ମିଶ୍ର କହିଛନ୍ତି, ଟିକିରି ଆଖପାଖ ୭ ଗାଁରେ ସଂକ୍ରମଣ ବ୍ୟାପିଛି ଅଛି। ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରଚେଷ୍ଠା ଚଳାଇଛି।  ଖୁବ୍‌ ଶୀଘ୍ର  ଆକ୍ରାନ୍ତଙ୍କ ନିକଟରେ ଚିକିତ୍ସା ବ୍ୟବସ୍ଥା ପହଞ୍ଚାଇବାକୁ ଚେଷ୍ଟା କରୁଛୁ। ଜଳ ବିଶୋଧନ କରାଯିବା ସହ ଓ ଲୋକଙ୍କୁ ସଚେତନ କରାଗଲେ ହିଁ ସଂକ୍ରମଣ କମିବ ।

କାଶୀପୁରରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ବି ରାୟଗଡ଼ାର ବିଭିନ୍ନ ମେଡିକାଲରେ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ଡଙ୍ଗାସିଲ ଓ ମାଣ୍ଡିବିଶି ଗାଁରେ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି ।  ଗାଁକୁ ଗାଁ ବୁଲୁଛନ୍ତି ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ । ମେଡ଼ିକାଲ୍ ଟିମ୍ ବି ମୁତୟନ ହୋଇଛନ୍ତି । ଉତ୍କଳ ଆଲୁମିନା ହସ୍ପିଟାଲରେ ୫୦ଟି ବେଡକୁ ନେଇ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । ଏହାବାଦ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଜଳ ଉତ୍ସ ଗୁଡ଼ିକୁ ବିଶୋଧନ ସହ ଲୋକଙ୍କୁ ବିଶୋଧିତ ପାନୀୟ ଜଳ ଯୋଗାଇ ଦିଆଯାଉଛି  ।

Related Articles

Back to top button