୬ ବର୍ଷ ପାଇଁ ବହିଷ୍କାର ହେଲେ ଜଟଣୀ ବିଧାୟକ ସୁର ରାଉତରାୟ

ଆଜି କଂଗ୍ରେସରୁ ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ଦଳରେ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ। ସେ କଂଗ୍ରେସରେ ଥାଇ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିବା ତାଙ୍କ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା। ସେ ଏହାକୁ ଅସ୍ବୀକାର କରି ଆସୁଥିଲେ ବି ଦଳ ପକ୍ଷରୁ ତାଙ୍କୁ ୨ ଥର କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଛି ।

ଆଜି ଦଳରୁ ବହିଷ୍କୃତ ହେଲା ପରେ ସୁର କହିଛନ୍ତି, ମୁଁ ବିଲ୍‌କୁଲ୍ ପୁଅ ପାଇଁ ପ୍ରଚାର କରିନି। ଏଆଇସିସିର ପ୍ରେସିଡେଣ୍ଟ ଅତି ଖୁସି ହୋଇ ମୋତେ ୬ ବର୍ଷ ପାଇଁ ଯେଉଁ ବାସନ୍ଦ କରିଛନ୍ତି, ସେଥିପାଇଁ ତାଙ୍କୁ ଅଭିନନ୍ଦନ। କେଉଁଠି କି ଦୋଷ କଲି ଯେ ମୋତେ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି ମୁଁ ନୋଟିସ୍ ଜରିଆରେ ପଚାରିବି। ସେ ଯାହା କରିବେ ଖାତିର ନାହିଁ। ମୁଁ ମଲା ଯାଏଁ କଂଗ୍ରେସରେ ରହିବି। ମୁଁ କଂଗ୍ରେସ ପାଇଁ କାମ କରିବି। ମୋ ଜୀବନଟା କଂଗ୍ରେସ। ଯେଉଁମାନେ ଏବେ ଓଡ଼ିଶାରେ କଂଗ୍ରେସରେ ଅଛନ୍ତି ସତେ ଯେମିତି ଭାରି ନୀତି ଓ ଆଦର୍ଶରେ ଅଛନ୍ତି। ୫୦ ବର୍ଷରୁ ଅଧିକ ସମୟ ଧରି ମୁଁ କଂଗ୍ରେସ ପାଇଁ କାମ କରିଛି। ଯଦି ମୋ ପୁଅ ଅଲଗା ଦଳରୁ ଟିକେଟ ପାଇଲା ବୋଲି ମୋତେ ବାହାର କରି ଦିଆଗଲା, ତା’ହେଲେ ଅଭିନନ୍ଦନ। କିଛି ଆପତ୍ତି ନାହିଁ କି ଖାତିର ନାହିଁ। ଏନେଇ କୌଣସି ପ୍ରକାର ଦୁଃଖ ବି ନାହିଁ ବୋଲି ସୁର କହିଛନ୍ତି ।

Related Articles

Back to top button