ଅସହ୍ୟ ତାତି ଭିତରେ ଆଜି ଆଶ୍ୱସ୍ତି ଆଣିଲା କାଳବୈଶାଖୀ

ଆଜି ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ସୋମବାର ୧୭ ସହରର ତାପମାତ୍ରା ୪୦ଡିଗ୍ରୀ ସେଲସିୟସ ଟପିଛି । ୪୩.୮ ଡିଗ୍ରୀ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିଭଳି ପାରଳାଖେମୁଣ୍ଡିରେ ୪୨.୯ ଡିଗ୍ରୀ ସେଲସିୟସ, ବାରିପଦାରେ ୪୨.୬, ନୂଆପଡା ୪୨.୪, କେନ୍ଦ୍ରାପଡା ୪୧.୮, ଜଗତସିଂହପୁର ୪୧.୬ ଓ କଟକରେ ଆଜି ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

ସେପଟେ ଅସହ୍ୟ ତାତି ଭିତରେ ଆଶ୍ୱସ୍ତି ଆଣିଲା ବର୍ଷା । କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ତାପମାତ୍ରା କମିଥିବା ବେଳେ , ତାତିରୁ ସାମୟିକ ଭାବରେ ତ୍ରାହି ମିଳିଛି । ପାଣିପାଗ କେନ୍ଦ୍ର କହିଛି ଯେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ସୋମବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର‌୍ୟ୍ୟନ୍ତ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି। ଏଭଳି ସ୍ଥିତି ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏବଂ ତାତିରୁ ସାମନ୍ୟ ଆରାମ ମିଳିବ । ଏହାପରେ ପୁଣି ଗୋଟିଏ ପର୍ଯ୍ୟାୟରେ ଗ୍ରୀଷ୍ମ ଲହରୀ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବଢ଼଼ି ଚଳିତ ମାସ ଶେଷ ସୁଦ୍ଧା ତାପମାତ୍ରା ୪୬ ଡିଗ୍ରୀ ଡେଇଁବ ବୋଲି ଆକଳନ କରାଯାଉଛି। ତେବେ ସୋମବାର ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଖର।। କମ୍ ରହିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଗତକାଲି ଠାରୁ କଳାବୈଶାଖୀ ପ୍ରକ୍ରିୟା ପାଇଁ ସୋମବାର ସକାଳୁ ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ବାୟୁଚଳା ଚଳ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଏହା ପ୍ରଭାବରେ ବିଜୁଳି ଘଡଘଡି ସହ ପବନ ତଥା କିଛି ଜିଲାରେ କୁଆପଥର ବର୍ଷା ମଧ୍ୟ ସମ୍ଭାବନା ରହିଛି ।

ପୂର୍ବାନୁମାନ ଅନୁଯାୟୀ, ଆଜି ୧୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗିର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ରାୟଗଡା, ନବରଙ୍ଗପୁର, ନୂଆପଡା, କୋରାପୁଟ ଏବଂ ମାଲକାନଗିରିରେ ଝଡତୋଫାନ ହେବା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକରେ ବର୍ଷା ସାଙ୍ଗକୁ ପବନର ବେଗ ବୃଦ୍ଧି ହୋଇ ୪୦-୫୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ପରବର୍ତ୍ତୀ ତିନିଦିନ ରାଜ୍ୟରେ ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ରହିବାର ସମ୍ଭାବନା ରହିଥିବା ବେଳେ ୟେଲୋ ଓ୍ବାର୍ନିଂ ମଧ୍ୟ ଜାରି କରାଯାଇଛି। ତେବେ ୨୫ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର।

Related Articles

Back to top button