
କାଳବୈଶାଖୀ ଜନିତ ବର୍ଷା ପବନ ଆଣିଛି ଆଶ୍ବସ୍ତି : ଆଉ ୪ଦିନ ଯାଏଁ ବର୍ଷା ସମ୍ଭାବନା
ରବିବାର ଅପରାହ୍ଣରେ କାଳବୈଶାଖୀ ଜନିତ ବିଜୁଳି ଘଡଘଡି ସହ ବର୍ଷା ପବନ ଆଶ୍ବସ୍ତି ଆଣିଛି। ଉପକୂଳବର୍ତ୍ତୀ ଜିଲାଗୁଡିକରେ କଳାବୈଶାଖୀ ଜନିତ ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ କୁଆପଥର ବର୍ଷା ହୋଇଛି। ସୋମବାର ୧୨ ଜିଲାରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ହେବାକୁ ଥିବାବେଳେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛି।
ପଶ୍ଚିମାଝଡ ପ୍ରଭାବ ଏବଂ ଏକ ନିମ୍ନ ଚାପରେଖା ଆଭ୍ୟନ୍ତରୀଣ ଓଡ଼ିଶାରୁ ଉତ୍ତର ତାମିଲନାଡୁ, ଛତିଶଗଡ, ବିଦର୍ଭ ଦେଇ ଆଭ୍ୟନ୍ତରୀଣ କର୍ଣ୍ଣାଟକ ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ରବିବାର ଅପରାହ୍ଣ ୩ଟା ବେଳକୁ ଆକାଶ ମେଘୁଆ ହେବା ସହ ବିଜୁଳି ଘଡଘଡି ଏବଂ ଝଡ଼ବର୍ଷା ହୋଇଛି। ଉପକୂଳ ସହିତ ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳରେ କାଳବୈଶାଖୀ ଯୋଗୁ ତାତିରୁ ଆଶ୍ବସ୍ତି ମିଳିଛି। ଏହା ସତ୍ତ୍ବେ ମାଲକାନଗିରିରେ ସର୍ବାଧିକ ଦିନ ତାପମାତ୍ରା ୪୧.୧ ଡିଗ୍ରୀ ରେକର୍ଡ ହୋଇଛି, ଯାହାକି ରାଜ୍ୟର ସବୁଠୁ ଉତ୍ତପ୍ତ ସହର।
ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ପ୍ରାୟ ଅଞ୍ଚଳରେ ୨ରୁ ୩ଡିଗ୍ରୀ ହ୍ରାସ ପାଇବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି। ଫଳସ୍ବରୂପ ପୂର୍ବାହ୍ଣରେ ଟାଣଖରା ଏବଂ ଅପରାହ୍ଣରେ ବର୍ଷା ଆଣିବ ଆଶ୍ବସ୍ତି। ଆଗାମୀ ୪ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ଏପ୍ରିଲ ୮ରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହୁଛି। କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ସୁବର୍ଣ୍ଣପୁର, ସମ୍ବଲପୁର, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, କଳାହାଣ୍ଡି ଏବଂ ଅନୁଗୋଳ ଜିଲାକୁ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି କରାଯାଇଛି। ସତର୍କ ରହିବାକୁ ପାଣିପାଗ ବିଭାଗ ଏବଂ ଏସଆରସି ସତ୍ୟବ୍ରତ ସାହୁ ଜନସାଧାରଣ ଏବଂ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।